ଆରମ୍ଭ ହେଲା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ବିରୋଧ
ପେଟ୍ରୋଲିୟମ ଦର ବୃଦ୍ଧିକୁ ପ୍ରତିବାଦ କରି ସାଇକଲରେ ଟିଏମସି ସାଂସଦମାନେ ଗଲେ ସଂସଦ ଭବନ
ନୂଆଦିଲ୍ଲୀ (ଏଜେନ୍ସି): ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ତେବେ ମୌସୁମୀ ଅଧିବେଶନର ପ୍ରଥମ ଦିବସରେ କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ବିରୋଧୀଙ୍କ ବିରୋଧ ଯୋଗୁଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିଲା । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦମାନେ ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ । ତୈଳ ଦର ବୃଦ୍ଧି ବିରୋଧରେ ଟିଏମସି ସାଂସଦ ସାଇକେଲ ଚଲାଇ ସଂସଦ ପହଞ୍ôଚବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ପାର୍ଟିର ରାଜ୍ୟସଭା ସାଂସଦ ନେତା ଡେରେକ୍ ଓ’ବ୍ରାଏନ୍, ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ, ଅର୍ପିତା ଘୋଷଙ୍କ ସମେତ ଅନ୍ୟ କେତେକ ନେତା ସାଇକେଲରେ ସଂସଦ ଭବନରେ ପହଞ୍ôଚଥିଲେ । କଲ୍ୟାଣ ବାନାର୍ଜୀ କହିଛନ୍ତି, ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ବାହାରେ ଓ ଭିତରେ ସବୁ ଜାଗାରେ ବିକ୍ଷୋଭ ପ୍ରଦର୍ଶନ ହେବ । କୃଷକ ଓ ଶ୍ରମିକମାନେ ସମସ୍ତେ ଏହାର ବିରୋଧ କରିବେ । ପେଟ୍ରୋଲ ଓ ଡିଜେଲ୍ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସେଥିରେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇ ପଡ଼ିଲାଣି । ସାଧାରଣ ଲୋକେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ମୋଦି ସରକାରଙ୍କ ମନ୍ତ୍ରୀମାନେ ତୈଳ କମ୍ପାନୀ ଉପରେ ସବୁ ଦୋଷ ଲଦୁଛନ୍ତି । ତେବେ ଆରମ୍ଭରୁ ବିରୋଧୀ ଦଳ ସଦସ୍ୟମାନେ ସରକାର କୋଭିଡ ପରିଚାଳନାରେ ବିଫଳ ହୋଇଥିବା, ମାତ୍ରାଧିକ ମୁଦ୍ରାସ୍ଫୀତି, ପେଟ୍ରୋଲ ଡିଜେଲ ମୂଲ୍ୟ ଆକାଶଛୁଆଁ ହେବା ଏବଂ ଚାଷୀ ସମସ୍ୟା ଆଦିକୁ ନେଇ ହୋ ହଲ୍ଲା କରିବା ଫଳରେ ଲୋକସଭାକୁ ଅପରାହ୍ନ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ସରକାର ସଂସଦ ମଧ୍ୟରେ ଏବଂ ବାହାରେ ସମସ୍ତ ନେତାଙ୍କ ସହିତ କୋଭିଡ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛନ୍ତି । ସେଥିପାଇଁ ସମସ୍ତ ସାଂସଦ ଏବଂ ରାଜନୈତିକ ଦଳଗୁଡିକ ସଦନ ମଧ୍ୟରେ ସବୁଠାରୁ ଜଟିଳ ଓ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବାକୁ ସେ ନିବେଦନ କରିବା ସହିତ ସରକାର ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ କହିଥିଲେ । ଏକ ଶୃଙ୍ଖଳିତ ପରିବେଶରେ ସଂସଦ କାର୍ଯ୍ୟ ଚାଲିବାକୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଥିଲେ । ଏହାଦ୍ୱାରା ଗଣତନ୍ତ୍ରର ଉଦ୍ଦେଶ୍ୟ ସାଧିତ ହେବା ସହିତ ଜନସାଧାରଣଙ୍କ ବିଶ୍ୱାସ ମଜଭୁତ ହେବ ଏବଂ ବିକାଶର ଧାରାରେ ଉନ୍ନତି ଘଟିବ । ପରେ ସଂସଦରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପରିଚିତ କରାଇଥିଲେ । ସେ କହିଥିଲେ ଯେ, ଅନେକ ମହିଳା, ଦଳିତ, ଆଦିବାସୀଙ୍କୁ ମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଛି । ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହେବା ଉଚିତ । ତାହା ସହିତ କୃଷି, ଗ୍ରାମ୍ୟ ପୃଷ୍ଠଭୂମିରୁ ଆସିଥିବା, ଅନ୍ୟ ପଛୁଆ ବର୍ଗଙ୍କୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ତେବେ ବିରୋଧୀ ଦଳଗୁଡିକ ସେମାନଙ୍କ ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ହଟ୍ଟଗୋଳ ଜାରି ରଖିଥିଲେ । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆପତ୍ତି ଉଠାଇବା ସହିତ ବିରୋଧୀ ଦଳର ନେତୃବୃନ୍ଦ ଏଥିରୁ ବିରତ ରହିବାକୁ କହିଥିଲେ । ତେବେ ସ୍ଥିତିରେ ସୁଧାର ନଆସିବାରୁ ଲୋକସଭା ବାଚସ୍ପତି ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଏହି ଅବସରରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ୱାଇଏସଆରସିପିର ମାମିଲା ଗୁରୁମୂର୍ତ୍ତି, ଭାଜପାର ମଙ୍ଗଳ ସୁରେଶ ଅଙ୍ଗାଡି, ଆଇୟୁଏମଏଲର ଅବଦୁସମ୍ମଦ ସମାଦାନ ଏବଂ କଂଗ୍ରେସର ବିଜୟ କୁମାର ଓରଫ ବିଜୟ ବସନ୍ତ ଆଦି ଅନ୍ତର୍ଭୁକ୍ତ । ରାଜ୍ୟସଭାରେ ସଦସ୍ୟମାନେ ପରଲୋକଗତ ସାଂସଦ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ଦିଲୀପ କୁମାର ଏବଂ କ୍ରୀଡାବିତ ମିଲଖା ସିଂ ଆଦି ଅନ୍ତର୍ଭୁକ୍ତ ।