ଆରପାରିରେ ମନୋରମା
କଟକ(ଏନ୍.ଏମ୍.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କ ଆଜି କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଅପରାହ୍ନ ସମୟରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ପରଲୋକଗତ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
୧୯୩୪ ମସିହା ଜୁନ ୧୦ତାରିଖରେ କଟକ ଜିଲ୍ଲା ଆଠଗଡ଼ ରାଧାନାଥପୁର ଶାସନରେ ପିତା ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ଓ ମାତା ସାବିତ୍ରୀ ଦେବୀଙ୍କ ଔରଷରୁ ଜନ୍ମଲାଭ କରିଥିଲେ ମନୋରାମା । ତାଙ୍କର ଜନ୍ମ ଗୋଟିଏ ସ୍ୱାଧୀନତା ସଂଗ୍ରାମୀ ପରିବାରର ହୋଇଥିବାରୁ ତାଙ୍କ ମଧ୍ୟରେ ଏହାର ଛାପ ପଡ଼ିଥିଲା । ସେ ସମାଜସେବା କ୍ଷେତ୍ରରେ ମଧ୍ୟ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଜଣେ ଉଚ୍ଚକୋଟୀର କବି, ସମ୍ପାଦିକା ଓ ସମାଜସେବୀ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ମହିଳା ଓ ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ଏଥି ସହିତ ଜଣେ ଓଜସ୍ୱିନୀ ବକ୍ତା ଭାବେ ସେ ଅଶେଷ ଲୋକପ୍ରିୟତା ହାସଲ କରିଥିଲେ । ଏଥିସହିତ ସେ ରେଭେନ୍ସା କଲେଜରୁ ଅର୍ଥନୀତି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଅର୍ଥନୀତି ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟ କରିଛନ୍ତି । ବିଶେଷ କରି ମାନବବାଦୀ, ସାମ୍ୟବାଦୀ ଓ ବୈପ୍ଳବିକ ଚିନ୍ତାଧାରା ତାଙ୍କ ସାହିତ୍ୟ କୃତିରେ ପରିସ୍ଫୁଟିତ ହୋଇଛି । ସେ ୧୯୬୭ ମସିହାରେ ଝଙ୍କାର ସମ୍ମାନ,୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର, ୧୯୮୮ ମସିହାରେ ସୋଭିଏତ ନେହେରୁ ଆୱାଡ଼, ୧୯୯୦ ମସିହାରେ କ୍ରିଟିକ ସାର୍କଲ ଅଫ ଇଣ୍ଡିଆ ଆୱାର୍ଡ଼, ୧୯୯୧ ମସିହାରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ସମ୍ମାନ, ୧୯୯୪ ମସିହାରେ ରୁପମ୍ବର ସମ୍ମାନ, ୨୦୧୧ ମସିହାରେ ଶକୁନ୍ତଳା ପୁରସ୍କାର, ୨୦୧୨ ମସିହାରେ ସାରଳା ସମ୍ମାନ ସହ ସୋଭିଏତ୍ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଥିଲେ । ଏଥି ସହିତ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ମଧ୍ୟ ଲାଭ କରିଥିଲେ । ଏଥି ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ମହିଳା ସମ୍ପାଦିକା ଥିଲେ । ତାଙ୍କ ସାହିତ୍ୟକୃତି ମଧ୍ୟରେ ଜୁଆର ଯେଉଁଠି ଉଠେ, ଅର୍ଦ୍ଧନାରୀସ୍ୱର, ବୈଦେହୀ ବିସର୍ଜିତା, ସ୍ମୃତିଚନ୍ଦନ, ଆମେସବୁ ନୀରବ ଦର୍ଶକ ଉେ??ଲ୍ଲଖନୀୟ । ଏହାଛଡ଼ା ଏ ପୃଥିବୀ ଶରଶଯ୍ୟା(କ୍ଷୁଦ୍ରଗଳ୍ପ ସଙ୍କଳନ), ବନ୍ଦ ଘରର କବାଟ(କ୍ଷୁଦ୍ରଗଳ୍ପ), ରତ୍ନଦ୍ୱୀପ(ଅନୁଦିତ ଉପନ୍ୟାସ), ବଣ ରାଇଜର କଥା(ଶିଶୁଗଳ୍ପ ସଙ୍କଳନ), ସମସାମୟିକ ଋଷୀୟ କବିତା(ଅନୁଦିତ ଋଷୀୟ କବିତା ସଙ୍କଳନ), ବନ୍ଦ ଘରକୀ କବାଟ(ହିନ୍ଦୀ ଗଳ୍ପ ସଙ୍କଳନ), ଉତ୍ତରା ନିରୁତ୍ତରା(ଗଳ୍ପ ସଙ୍କଳନ), ଗୋମୁଖ ଯାତ୍ରା(ଅନୁବାଦ ଶିଶୁ ସାହିତ୍ୟ), ଆଈମାଆଙ୍କ ବିଜ୍ଞାନମୁଣି(ବିଜ୍ଞାନ ଗଳ୍ପ), ଆମରି ଭାରତମାତା(ଶିଶୁକବିତା), ବିରାଡ଼ିମାନଙ୍କ ଅନଶନ(ଶିଶୁ ସାହିତ୍ୟ), ଶ୍ରୀରାମକୃଷ୍ଣ ପରମହଂସଦେବ(ଅନୁବାଦ), ଶୋଧ(ତସଲିମା ନସରିନ) ଆଦି ରହିଛି ।