ଆରପାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’
ଅହମଦାବାଦ(ଏଜେନ୍ସି): ମାଆ, ଆମର ପ୍ରାଣ । ଆମ ଆଖିର ଜ୍ୟୋତି । ଓଠର ହସ । ଖୁସିର ଖୋରାକ । ମାଆ- ଆମ ପୂଜା, ଆମ ପ୍ରାର୍ଥନା, ଆମ ଘରମନ୍ଦିରରେ ଦିଅଁଟିଏ । ସେ ମମତାର ମନ୍ଦାକିନୀ । ସ୍ନେହ ସୋହାଗର ସ୍ରୋତସ୍ୱିନୀ, ସାନ୍ନିଧ୍ୟର ସୁଧା ସଂଜୀବନୀ । ଆଶ୍ୱାସନାର ଅଳକାନନ୍ଦା । ସହନଶୀଳତାର ସୀମାହୀନ ସାଗର । ବାତ୍ସଲ୍ୟର ବାରିଧାର । ପିୟୁସର ପ୍ଲାବନ । ଅନ୍ଧାର ରାତିର ଦୀପାଳି । କୋଟିଏ ରାତିର ଶେଫାଳି । ଯେତେ ଉପମା ଦେଲେ ମଧ୍ୟ ମା’ ପାଇଁ ସବୁ ଫିକା । ତେଣୁ ମା’ ଯେତେବେଳେ ଶୋଇଯାଏ ଚିରନିଦ୍ରାରେ ସେତେବେଳେ ସନ୍ତାନଙ୍କ ଦୁଃଖ, ଶୋକ ସହିବ କିଏ? ସେହିଭଳି ଆଜି ଆମ୍ଭ ପ୍ରିୟ ପ୍ରଧାନମନ୍ତ୍ରୀ ଯେତେବେଳେ ମାତୃହରା ହୋଇଗଲେ ତାହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଚିରନ୍ତନ ସତ୍ୟ ମଧ୍ୟରେ ବାନ୍ଧି ହୋଇ ଯାଇଛେ ସମସ୍ତେ । ହୃଦୟରେ କୋହ ନୟନରେ ଲୁହ ଥିଲେ ମଧ୍ୟ ସତ୍ୟକୁ ଏଡାଇ ଦିଆଯାଇ ପାରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତୃବିୟୋଗ ଖବର ପାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିଲା । ସେହିଭଳି ଆଜି ମା’ଙ୍କ ଶବାଧାରରେ ପ୍ରଧାନମନ୍ତ୍ରୀ ଯିବାବେଳେ ତାଙ୍କର ହୃଦୟର ଦୁଃଖ ସହଜରେ ବାରି ହୋଇ ପଡ଼ୁଥିଲା । ସୂଚନା ଅନୁଯାୟୀ, ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ ହୀରାବେନ୍ ମୋଦୀଙ୍କ ପରଲୋକ ହୋଇଯାଇଛି । ୩୦ତାରିଖ ବିଳମ୍ବିତ ରାତି ୩ଟା ୩୦ ସମୟରେ ସେ ଚାଲି ଯାଇଛନ୍ତି ଆରପାରିକୁ । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା । ଏହି ଖବର ନିଜେ ପ୍ରଧାନମନ୍ତ୍ରୀ ଟୁୱିଟି କରି ଜଣାଇଥିଲେ । ତେବେ ଗତ ଦୁଇ ଦିନ ତଳେ ହୀରାବେନ୍ ଅସୁସ୍ଥ ଥିବା ବେଳେ ଅହମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଆଶୁଆରୋଗ୍ୟ ନିମନ୍ତେ କାମନା କରିଥିଲେ । ଆଜି ତାଙ୍କର ପରଲୋକଗତ ଖବର ପାଇବା ପରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ ପ୍ରକାଶ କରିଛନ୍ତି ।