ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ

ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ

ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ


ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜାଣିବାକୁ ମିଳିଛି । ବାହାର ଓ ଭିତର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି । ଏକଦା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ମାତ୍ର୨୦୧୮ ମସିହାର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ ଉଲ୍ଲେଖ ନାହିଁ । ତେବେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବା ନିମନ୍ତେ ୨୦୧୮ ମସିହାରେ ସୂଚନା ଅଧିକାର ଆଇନରେ ତଥ୍ୟ ପାଇବାକୁ ଆବେଦନ କରାଯାଇଥିଲା । ଏହା ଆଧାରରେ ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ।
ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳଙ୍କୁ ମିଳିଥିବା ସୂଚନା ଅନୁସାରେ ଉଭୟ ବାହାର ଭଣ୍ଡାର ଓ ଭିତର ଭଣ୍ଡାର ଅବସ୍ଥା ବିପଦପୂର୍ଣ୍ଣ ରହିଛି । ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବାବେଳେ କାନ୍ଥ ଓଦା ରହିଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୮ ଏପ୍ରିଲ୍ ୪ ତାରିଖରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା । ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ । ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍‌ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ । ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା । କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା । ସେହିପରି ବାହାର ଭଣ୍ଡାର ଜାଲି ବାଟ ଦେଇ ଭିତର ଭଣ୍ଡାର ଘର କାନ୍ଥ ଓ ଛାତକୁ ମଧ୍ୟ ଲାଇଟ୍ ପକାଇ ପ୍ରାଧିକୃତ ସଦସ୍ୟ ଓ ପ୍ରଶାସକମାନେ ଦେଖିଥିଲେ । ତେବେ କେହି ଜଣେ ବି ଭିତର ଭଣ୍ଡାର ତାଲା ଖୋଲିବାକୁ ଆବଶ୍ୟକ ମନେ କରିନଥିଲେ । ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା । ସେଥିରୁ ଗୋଟିକରେ ଜଉମୁଦ ରହିଥିଲା । ବାହାରୁ ଏକ ଲୁହା ପାଇପ୍ ଯୋଗେ ଜାଲି ବାଟ ଦେଇ ଭିତର ଭଣ୍ଡାରର ଦୈର୍ଘ୍ୟ ଓ ପ୍ରସ୍ଥ ମାପିଥିଲେ । ହେଲେ କେହି ବି ଭିତର ଭଣ୍ଡାର ଖୋଲିବାକୁ ଚାହିଁନଥିଲେ କି ଉଦ୍ୟମ କରିନଥିଲେ । ଏହାଛଡ଼ା ଭଣ୍ଡାର ଘରର ମରାମତି ଜରୁରୀ ଥିଲେ ବି ସେନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ମଧ୍ୟ ଏହି ତଥ୍ୟରୁ ଜଣାପଡ଼ିଛି । ଯାହାଫଳରେ ରତ୍ନଭଣ୍ଡାର ବିପଦପୂର୍ଣ୍ଣ ରହିଥିବା କୁହାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ