ଆପ୍ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
#ଭୁବନେଶ୍ୱର(ଏନ୍.ଏମ୍.): ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟମାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଆରମ୍ଭରେ ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ ରାଜ୍ୟରେ ସଙ୍ଗଠନର ସ୍ଥିତି ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଦେଶରେ ବର୍ତ୍ତମାନର ରାଜନୈତିକ ବାତାବରଣ, ରାଜ୍ୟର ବିଭିନ୍ନ ସମସ୍ୟା ତଥା ଆଗାମୀ ୨୦୨୪ସାଧାରଣ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ରାଜ୍ୟ ଆବାହକ ଶ୍ରୀ ମହାପାତ୍ର ରାଜ୍ୟରେ ସଂଗଠନ ନିର୍ମାଣ ଏବଂ ଆଗାମୀ ୨୦୨୪ନିର୍ବାଚନ ପାଇଁ ରାଜ୍ୟ ସଂଗଠନର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ବୈଠକରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ତଥା ବିଫଳତା ବିରୋଧରେ ଲୋକଙ୍କୁ ସଚେତନ କରି ସଡ଼କରୁ ବିଧାନସଭା ଯାଏଁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ । ଆମ୍ ଆଦ୍ମୀ ପାର୍ଟିର ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ରାଜନୀତିକୁ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ନିମ୍ନ ଲିଖିତ ପ୍ରସ୍ତାବ ଦୁଇଟି ଗୃହୀତ ହୋଇଥିଲା । ଆଗାମୀ ଏକ ମାସ ମଧ୍ୟରେ ରାଜ୍ୟ ସରକାର ୨୦୦ୟୁନିଟ ଦେୟ ମୁକ୍ତ ବିଜୁଳି ପ୍ରତ୍ୟେକ ପରିବାରକୁ ଦେବା ପାଇଁ ଘୋଷଣା କରନ୍ତୁ । ଆମ୍ ଆଦ୍ମୀ ପାର୍ଟି ଏହି ଦାବିକୁ ନେଇ ପ୍ରତ୍ୟେକ ଜିଲ୍ଲାରେ ଦସ୍ତଖତ ସଂଗ୍ରହ ଅଭିଯାନ ଆଗକୁ ତୀବ୍ର କରିବ । ଆମ୍ ଆଦ୍ମୀ ପାର୍ଟି ଓଡ଼ିଶାରେ ପିଛିଲା ତାରିଖରୁ ମିଟରରେ ଦିଆଯାଉଥିବା ପାଣି ପାଇଁ ଦେୟ ଆଦାୟକୁ ବିରୋଧ କରିବା ସହିତ ପ୍ରତ୍ୟେକ ପରିବାରକୁ ଦେୟମୁକ୍ତ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି କରୁଛି । ଏହି ଅବସରରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଆବାହକ ଶ୍ରୀ ମହାପାତ୍ରଙ୍କ ସମେତ ସୁନ୍ଦରଗଡ଼ ଜିଲ୍ଲା ଆବାହକ ବିନୟ କୁମାର ତିୱାରୀ ଏବଂ ପୁରୀ ଜିଲ୍ଲା ଆବାହକ ସଞ୍ଜୀବ କୁମାର ମହାନ୍ତି ଉପସ୍ଥିତ ଥିଲେ ।