ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ
#କଟକ(ଏନ୍.ଏମ୍.): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୁଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ସିଆଇଡି(କ୍ରାଇମବ୍ରାଞ୍ଚ) ପୁନଃତଦନ୍ତ କରିବ । ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ସପକ୍ଷରେ ରାୟ ଦେଇ ହାଇକୋର୍ଟ କହିଛନ୍ତି, ଡିଆଇଜି ପାହ୍ୟାରୁ କମ ହୋଇ ନଥିବା ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଉ । ଘଟଣାର ସବୁ ଦିଗରୁ ଏହି ବରିଷ୍ଠ ଅଧିକାରୀ ତଦନ୍ତ କରି ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ କରିବେ । ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ନଥିପତ୍ର, ରେକର୍ଡ, ସଂପୂର୍ଣ୍ଣ କେସ୍ ଡାଏରି ଇତ୍ୟାଦି ପୂର୍ବର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବେ । ଏହି ଘଟଣାର ନିରପେକ୍ଷ ତଦନ୍ତ ହୋଇ ନଥିବା ନେଇ ଆବେଦନକାରୀ କରିଥିବା ଅଭିଯୋଗ ଯୁକ୍ତିଯୁକ୍ତ ବୋଲି ହାଇକୋର୍ଟ ମତ ଦେବା ସହିତ ସମାନ ତଦନ୍ତକାରୀ ଏଜେନ୍ସିକୁ ପୁନଃତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଉପଯୁକ୍ତ ହେବ ନାହିଁ ବୋଲି କହିଛନ୍ତି । କ୍ରାଇମବ୍ରାଞ୍ଚ ଭଳି ସ୍ୱାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ୱ ଦେବା ଉପଯୁକ୍ତ । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ଆନନ୍ଦଙ୍କ ମୃତ୍ୟୁ ପରେ ପରିବାର ତରଫରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଶ୍ରୀ ଟପ୍ପୋ ଅଭିଯୋଗରେ ଦର୍ଶାଇଥିଲେ ଯେ, ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ । ୨୦୨୨ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟରେ ବେକରେ ଶାଢି ଦେଇ ଆନନ୍ଦ ଟପ୍ପୋ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ୍ ମାଧ୍ୟମରେ ସୂଚନା ଦେଇଥିଲେ । ମୃତଦେହର ବେକରେ ୨ଟି ଦାଗ ରହିଥିଲା । କିଛିଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ । ଆନନ୍ଦ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା । ଆନନ୍ଦଙ୍କ ମୃତଦେହର ବେକ ଓ ଅନ୍ୟ ସ୍ଥାନରେ ଥିବା ଦାଗରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବୋଲି କୁହାଯାଇଥିଲା । ଆନନ୍ଦଙ୍କୁ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ୨୦୨୨ ମାର୍ଚ୍ଚ ୧ତାରିଖରେ ଇନଫୋସିଟି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏହାକୁ ଗ୍ରହଣ କରି ନଥିଲା । ଏହାପରେ ଏପ୍ରିଲ୍ ୧ରେ ସେ ଆଉ ଥରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଶୁଣି ନଥିଲା । ମେ ୧୧ରେ ଏ ନେଇ ଆବେଦନକାରୀ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରିଥିଲେ । କିଛି ପଦକ୍ଷେପ ନିଆ ନଯିବାରୁ ମେ ୧୭ରେ ପୁଲିସ କମିସନରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆବେଦନକାରୀ ।
କିନ୍ତୁ ଏହା ପରେ ବି ଆନନ୍ଦଙ୍କ ମୃତ୍ୟୁ ପ୍ରସଂଗକୁ ନେଇ ଆବେଦନକାରୀ କରିଥିବା ଅଭିଯୋଗକୁ ପୁଲିସ ଗ୍ରହଣ କରି ନଥିଲା, କି ଏତଲା ପଞ୍ଜୀକରଣ କରି ନଥିଲା । କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ବସିଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ଶ୍ରୀ ଟପ୍ପୋ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଲିସ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ସାଂଘାତିକ ବୋଲି ମାମଲାର ଶୁଣାଣି କରି ହାଇକୋର୍ଟ ମତ ଦେଇଥିଲେ । ଇନଫୋସିଟି ଥାନା ଆଇଆଇସିଙ୍କ କାର୍ଯ୍ୟ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏକ ବର୍ଷ ପାଇଁ ତାଙ୍କୁ କୌଣସି ଫିଲ୍ଡ ପୋଷ୍ଟିଂ ଦାୟିତ୍ୱ ନଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିକୁ ତାଲିମ ପାଇଁ ପଠାଯିବ । ମାମଲା ତଦନ୍ତର ବ୍ୟକ୍ତିଗତ ଭାବେ ଡିସିପି ତଦାରଖ କରିବେ । ଚୂଡାନ୍ତ ରିପୋର୍ଟ ତିନି ମାସ ଭିତରେ ଦାଖଲ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ଘଟଣାର ତଦନ୍ତ କରି ୨୦୨୩ ଫେବ୍ରୁଆରି ୭ରେ ଆନନ୍ଦଙ୍କ ମୃତ୍ୟୁ ମାମଲାର ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା । ଏହା ଏକ ହତ୍ୟାକାଣ୍ଡ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏଭଳି ରିପୋର୍ଟ ବିରୋଧରେ ପୁଣି ଶ୍ରୀ ଟପ୍ପୋ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାର ନିରପେକ୍ଷ ତଦନ୍ତ କରାଯାଇନାହିଁ ବୋଲି ସେ ଦର୍ଶାଇଥିଲେ । ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ ।