କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର

କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍‌-ଉଲ୍‌-ଫିତର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଦାନଧର୍ମରେ ଶେଷ ହୋଇଛି ରମଜାନ ମାସ । ଦୀର୍ଘ ଦିନର ଉପବାସ ଆଜି ଶେଷ ହୋଇଛି । ରମଜାନ ଶେଷ ହେବାପରେ କଟକ ସହରରେ ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ପର୍ବ ଇଦ-ଉଲ-ଫିତର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଜି ମହାନଗରର ପ୍ରତ୍ୟେକ ମସଜିଦ୍‌ରେ ସକାଳ ୭ଟାରୁ ୯ଟା୩୦ମଧ୍ୟରେ ସ୍ୱତନ୍ତ୍ର ନମାଜ ପାଠ କରାଯାଇଥିଲା । ସେହପରି ସତୀଚଉରା ନିକଟ ଇଦ୍‌ଗାହରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏଠାରେ ସକାଳ ୧୦.୩୦ରେ ନମାଜ ପାଠ କରାଯାଇଥିଲା । ଦିନ ତମାମ ଧର୍ମଚର୍ଚ୍ଚା ମସଜିଦ୍ ଗୁଡ଼ିକରେ ଲାଗି ରହିଥିବା ବେଳେ ସବୁ ସମ୍ପ୍ରଦାୟ ଜନସାଧାରଣ ଏହି ପର୍ବ ପାଳନରେ ସାମିଲ ହୋଇଥିଲେ । ଏହି ଅବସରରେ ମୁସଲିମ ଶ୍ରଦ୍ଧାଳୁମାନେ ସମୂହ ନମାଜ ପାଠ କରିବା ସହ ଆଲ୍ଲା(ଇଶ୍ୱର)ଙ୍କ ଠାରୁ ଦୁଆ(ଆର୍ଶିବାଦ) ମାଗିଥିଲେ ।
ଭାଇଚାରାର ବାର୍ତ୍ତା ବହନ କରୁଥିବା କଟକ ସହରରେ ଇଦ୍ ମୁବାରକ ଜଣାଇବା ପାଇଁ ମୁସଲମାନ ଭାଇଭଉଣୀମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବନ୍ଧୁ ପରିଜନ ଶୁଭେଚ୍ଛୁ ଓ ମୂରବୀଙ୍କୁ ଭେଟିଥିଲେ । ପରସ୍ପର ପରସ୍ପରକୁ ଆଲିଙ୍ଗନ କରିଥିଲେ । ମିଠା ଖୁଆଇ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ । ଘରମାନଙ୍କରେ ଝିଅ ଓ ମହିଳାମାନେ ହାତରେ ମେହେନ୍ଦି ଲଗାଇବା ସହ ନୂଆ ବସ୍ତ୍ର ପରିଧାନ କରି ସମ୍ପର୍କୀୟଙ୍କ ଘରକୁ ଯାଇ ଇଦ୍ ମୁବାରକ ଜଣାଉଥିବା ଦେଖିବାକୁ ମିଳିଥିଲା । ଇଦ୍ ଅବସରରେ ମହାନଗରର ପ୍ରତ୍ୟେକ ମସଜିଦ୍ ଉତ୍ସବମୁଖର ହୋଇଥିଲା । ବିଭିନ୍ନ ମସ୍‌ଜିଦରେ ମାସସାରା ଇମାମ ସାହେବ ଧର୍ମଚର୍ଚ୍ଚା କରିଥିଲେ । ବିଶେଷ କରି କଦମ-ଇ-ରସୁଲ, ପଲ୍‌ଟନ୍ ମସଜିଦ, ସୁଲତାନିଆ ମସଜିଦ୍‌, ଛୋଟୀ ମସଜିଦ୍‌, ସାହି କିଲ୍ଲା ମସଜିଦ୍‌, ତୁଳସୀପୁର ମସଜିଦ୍‌, ଉଜାଲ୍ ଖାଁ ମସଜିଦ୍‌, ତାତର ଖାଁ ମସଜିଦ୍‌, ଦେୱାନ ବଜାର ମସଜିଦ୍ ଓ ଓଏମ୍‌ପି ମସଜିଦ୍‌ରେ ଇଦ୍ ଉପଲକ୍ଷେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇସଲାମ ଧର୍ମାବଲମ୍ବୀଙ୍କ ଭିଡ଼ ଲାଗି ରହିଥିଲା । ସେହିଭଳି ମୁସଲିମ ସମ୍ପ୍ରଦାୟର ଏହା ପବିତ୍ର ରମଜାନ ମାସ ହୋଇଥିବାରୁ ଧନୀ ଶ୍ରେଣୀର ଲୋକମାନେ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାର ଦାନ ଦେଇଥାଆନ୍ତି । ନିଜ ରୋଜଗାରର ୨.୫ ପ୍ରତିଶତ ଗରିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାନ୍ତି । ସଂଖ୍ୟାଧିକ ମୁସଲମାନ ସଂପ୍ରଦାୟର ଧନୀ ବ୍ୟକ୍ତିବିଶେଷ ରମଜାନ ମାସର ୪ଟି ଶୁକ୍ରବାରରେ ନିଜ ଘର ସମ୍ମୁଖ ଏବଂ ମସ୍‌ଜିଦ୍ ପାଖରେ ବସ୍ତ୍ର, ଖାଦ୍ୟ ଇତ୍ୟାଦି ବଣ୍ଟନ କରିଥିଲେ । ପର୍ବ ପାଳନ ଅବସରରେ ସୁସ୍ୱାଦୁ ଭୋଜନ ଘରେ ଘରେ ଆୟୋଜନ କରାଯାଇଥିଲା । ଇଦ୍ ପର୍ବ ପାଳନ ବେଳେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ନିରାମୟ ଅଧ୍ୟକ୍ଷ ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, କଦମ-ଇ-ରସୁଲ ସଭାପତି, ଇଦ୍‌ଘା କମିଟି ମୂଖ୍ୟ ଉପଦେଷ୍ଟା ତଥା ପୂର୍ବତନ କର୍ପୋରେଟର ରମଜାନ ଖାନ୍‌, ବିଜେଡ଼ି ନେତା ଅରିନ୍ଦମ ରାୟ, ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାରତ ରଞ୍ଜନ ବିଶ୍ୱାଳ ଓ ବହୁ ମୁରବୀମାନେ ସାମିଲ ହୋଇ ପ୍ରତ୍ୟେକ ମୁସଲମାନ ଭାଇଭଉଣୀଙ୍କୁ ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ । ଓଡ଼ିଆ ଘରର ଖାଇବା ମଧ୍ୟ ଏହି ପର୍ବରେ ସ୍ଥାନ ପାଇଥିଲା । ଲଚ୍ଛା, ସିମେଇ ଭଳି ମିଷ୍ଟାନ୍ନ ଖାଦ୍ୟ ସାଙ୍ଗକୁ ମଟନ ବିରିୟାନି, ଚିକେନ ବିରିୟାନି ଭଳି ଖାଦ୍ୟ ଖାଇ ସମସ୍ତେ ଏହି ପର୍ବରେ ମଜ୍ଜି ଯାଇଥିଲେ । ଉତ୍ତର ଭାରତୀୟ ଖାଦ୍ୟର ଚାହିଦା ମଧ୍ୟ ଘରେ ଘରେ ରହିଥିଲା । ଚିକେନ୍ କବାବ ଓ ଚିକେନ୍ ଟିକା ଭଳି ଖାଦ୍ୟ ପ୍ରସ୍ତୁତ ହୋଇଥିବାବେଳେ ବନ୍ଧୁ ପରିଜନଙ୍କ ସହିତ ମିଶି ପର୍ବ ପାଳନ କରାଯାଉଥିବା ଦୃଶ୍ୟ ନିଆରା ଥିଲା । ଓଡ଼ିଆ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ସେମାନଙ୍କ ପସନ୍ଦ ଖାଦ୍ୟସାମଗ୍ରୀ ମଧ୍ୟ ପ୍ରସ୍ତୁତି ହୋଇଥିଲା । ମହାନଗରର କେତେକ ସ୍ଥାନରେ ଆଜି ଗଜଲ ପରିବେଷଣ କରାଯାଇଥିଲା । ଶହଶହ ମୁସଲମାନ ଭାଇଭଉଣୀ ଏକାଠି ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଆବାଳବୃଦ୍ଧବନିତା ସମସ୍ତେ ନବବସ୍ତ୍ର ପରିଧାନ କରିବା ସହିତ ଧାର୍ମିକ କାର୍ଯ୍ୟରେ ନିମଜ୍ଜିତ ଥିଲେ । ମୁସଲମାନ ଭାଇମାନଙ୍କ ଭିଡ଼ରେ ଯୋବ୍ରା, ଓଡ଼ିଆ ବଜାର, କେଶରପୁର, ଶେଖବଜାର, ମେହେନ୍ଦିପୀର, ତୁଳସୀପୁର, ଦରଘାବଜାର, ସୂତାହାଟ, ମହମ୍ମଦିଆ ବଜାର, ଅଲିଶା ବଜାର ଓ ପଟ୍ଟାପୋଲ ଅଞ୍ଚଳ ହୋଇପଡ଼ିଥିଲା ଚଳଚଞ୍ଚଳ । ଇସ୍‌ଲାମ ଧର୍ମ ଅନୁସାରେ ହଜାର ମାସର ନମାଜ ଠାରୁ ସବେ କଦର ରାତିର ନମାଜ ଯେମିତି ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେମିତି ଇଦ୍‌ର ପ୍ରଥମ ନମାଜ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜୁମା ମସଜିଦ୍‌, ଉଜାଲେ ଖାଁ ମସ୍‌ଜିଦ, ସର୍ଦାର ଖାଁ ମସଜିଦ୍‌, କଦମ ଇ ରସୁଲ, ସାହି ମସ୍‌ଜିଦ୍‌, ପଲଟନ୍ ମସ୍‌ଜିଦ୍‌, ତାତର ଖାଁ ମସ୍‌ଜିଦ୍‌, ସୁନ୍ନି ମସ୍‌ଜିଦ୍ ଓ ଇଦ୍‌ଗାହା ପଡ଼ିଆରେ ସ୍ୱତନ୍ତ୍ର ଇଦ୍ ନମାଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଦ୍ ପାଇଁ ସହରର ପ୍ରାୟ ସବୁ ମସ୍‌ଜିଦ୍ ଗୁଡିକୁ ଆଲୋକମାଳାରେ ସୁସଜ୍ଜିତ ହୋଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ