ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ
#ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ଆଜି ପୁଣି ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ବିଦ୍ୟୁତ ଆଘାତ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଞ୍ଜ୍ ଗୁରୁଡି ଝାଟିଆ ବିଟ୍ ସାଉରିଆ ଜଡ଼ାବାରି ଗହିରରେ ଆଜି ସକାଳୁ ଗୋଟିଏ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତ ହାତୀଟିର ବୟସ ୨୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ହାତୀଟିର ଶୁଣ୍ଢରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଏହା ବିଦ୍ୟୁତ ସଂସ୍ପର୍ଶରେ ଆସି ଏଭଳି ହୋଇଥିବା ଅନୁମାନ କରାଯାଉଛି । ତେବେ ଏହି ହାତୀଟି ପାଖରେ ଥିବା ଆଖୁ କିଆରିକୁ ଆଖୁ ଖାଇବା ପାଇଁ ଆସିଥିବା ବେଳେ ଆଗରୁ ଆଖୁ କିଆରିରେ ବିଦୂତ୍ ସଂଯୋଗ ରହିଥିବା ଯୋଗୁ ହାତୀର ମୃତ ହେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଖୁଣ୍ଟୁଣୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି, ଆଖୁ କିଆରୀ ମାଲିକକୁ ଅଟକ ରଖି ବନ ବିଭାଗ ପଚରାଉଚରା କରୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷା ନେଇ ବନ ବିଭାଗ କରୁଛି କ’ଣ । ହାତୀ ବାରମ୍ବାର କାହିଁକି ଗ୍ରାମାଭିମୁଖୀ ହେଉଛନ୍ତି । ହାତୀମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରିଥିଲେ ମଧ୍ୟ ତାହା କେଉଁ କାମରେ ଲାଗିଛି । ଏ ବିଷୟରେ ବନବିଭାଗ ଆତ୍ମ ସମୀକ୍ଷା ନକରି ଅନ୍ୟ ଉପରେ କାଦୁଅ ଫିଙ୍ଗି ବସିଯିବା ଯୋଗୁଁ ଅନେକ ହାତୀଙ୍କ ପ୍ରାଣ ହାନୀ ହୋଇଛି । ଅନ୍ୟପକ୍ଷରେ ହାତୀମାନେ ଜଙ୍ଗଲରୁ ଗ୍ରାମାଭିମୁଖୀ ନହେବା ପାଇଁ ସୌରବାଡ଼ ଯୋଜନା କୁଆଡେ ଗଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚାଷୀ ବର୍ଷସାରା ପରିଶ୍ରମ କରି ଫସଲ କରୁଥିବାବେଳେ ହାତୀଙ୍କ ଯୋଗୁଁ ଯେତିକି ନଷ୍ଟ ହେଉଛି ତାହାର ପ୍ରକୃତ କ୍ଷତିପୂରଣ ଚାଷୀଙ୍କୁ ଦିଆଯାଉ ନାହିଁ । ତେବେ ଏ ନେଇ ବନବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେବା ସହ ହାତୀମାନେ କିଭଳି ଗ୍ରାମାଭିମୁଖୀ ନହେବେ ସେ ନେଇ ଗୁରୁତ୍ୱ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।