ଆଠଗଡ଼ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବି

ଆଠଗଡ଼ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବି

ଆଠଗଡ଼ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବି

News by Maheswar Behera (Athagarh)
Advertisement

#ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ ଅଞ୍ଚଳ ଗୋଟିଏ କୃଷିପ୍ରଧାନ ଅଞ୍ଚଳ । ଏଠାରେ ପ୍ରାୟ ୯୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ବର୍ଷ ସାରା ବିଭିନ୍ନ ପ୍ରକାର ଚାଷ କରି ଏହି ଅଞ୍ଚଳର ଲୋକେ ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ସେମାନଙ୍କୁ ଏହି ଅଞ୍ଚଳର ମୃର୍ତ୍ତିକା ମଧ୍ୟ ବେଶ ସହାୟକ ହୋଇଥାଏ । କିନ୍ତୁ ଅମଳ ହେଉଥିବା ଫସଲ ସଂରକ୍ଷଣ କରିବା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ସବୁବେଳେ ଅଭାବୀ ବିକ୍ରିର ଶିକାର ହୋଇଥାଏ । ଏଠାରେ ବିଶେଷ କରି ପନିପରିବା ଚାଷ ଅଧିକ ହେଉଥିବାବେଳେ ଚାଷୀ ବାଧ୍ୟ ହୋଇ ଏହାକୁ ଶାଗମାଛ ଦରରେ ବିକ୍ରି କରିଥାନ୍ତି । ଗୋଟିଏ ପଟେ ଅମଳ ହେଉଥିବା ପନିପରିବା ସଂରକ୍ଷଣ ଯୋଗ୍ୟ ନହେବା ଯୋଗୁଁ ଶିଘ୍ର ପଚିଶଢ଼ି ନଷ୍ଟ ହୋଇଥାଏ । ତେଣୁ ବାଧ୍ୟ ହୋଇ ଚାଷୀ ଏହାକୁ ତୁରନ୍ତ ବିକ୍ରି କରିବାକୁ ବାଧ୍ୟ ହୁଏ । ତେବେ ଏକ ସମୟରେ ସମସ୍ତଙ୍କ ଠାରୁ ପନିପରିବା ଅମଳ ହେଉଥିବାରୁ ଏହାର ଉଚିତ ମୂଲ୍ୟ ପାଇବାରୁ ଚାଷୀ ବଞ୍ଚିତ ହୋଇଥାନ୍ତି । ତେବେ ଆଠଗଡ଼ ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଠାରେ ସରକାର ଓ ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ଏଠାରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠିଛି । ଅନ୍ୟପକ୍ଷରେ ଏହି ଅଞ୍ଚଳର ପୁଅ ଅର୍ଥାତ ଆଠଗଡ଼ ବିଧାୟକ କୃଷିମନ୍ତ୍ରୀ ଦାୟିତ୍ୱ ପାଇବା ପରେ ଅଞ୍ଚଳର ଚାଷୀମାନଙ୍କ ମୁହଁରେ ହସଫୁଟିବ ବୋଲି ଲୋକେ ଆଶା ରଖିଥିଲେ । ଯେହେତୁ ଏହି ଅଞ୍ଚଳ ପନିପରିବା କେମିତି ଚାଷ ହୁଏ କେତେ ଅମଳ ହୋଇଥାଏ ଏବଂ ଆଠଗଡ଼ ରାଜ୍ୟ ପାଇଁ ପନିପରିବାର ଚାହିଦା କେତେ ମେଣ୍ଟାଇଥାଏ ସେ ବିଷୟରେ ମନ୍ତ୍ରୀ ବେଶ ଅବଗତ ଅଛନ୍ତି । ତେଣୁ ଏହି ଅଞ୍ଚଳରେ ବିକାଶର ମଙ୍ଗ ଧରିଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଅଞ୍ଚଳ ପାଇଁ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ନିବେଦନ କରିଛନ୍ତି । ଏହି ଅଞ୍ଚଳରେ ଶୀତଳ ଭଣ୍ଡାରଟିଏ ନଥିବା ଯୋଗୁଁ ଆଠଗଡ ବ୍ଲକର ସଠିଲୋ, ବାସୁଦେବପୁର, ସମସରପୁର ପ୍ରଭୁତି ଅଞ୍ଚଳରେ ଚାଷୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ସମ୍ପ୍ରତି କୋବି ଚାଷୀ ବାଧ୍ୟ ହୋଇ ବ୍ୟବସାୟୀଙ୍କୁ କମ ଦରରେ ଫୁଲକୋବି ଓ ବନ୍ଧାକୋବି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚାଷୀ ଫୁଲକୋବି ଓ ବନ୍ଧାକୋବି ଚାଷ କରିବା ପାଇଁ ହଜାର ହଜାର ଟଙ୍କା ସାହୁକାରଙ୍କ ଠାରୁ ଋଣ ଆଣି ଚାଷ କରିଥିଲେ, ଚାଷୀ ଆଶା ରଖିଥିଲା କୋବି ଚାଷରେ ଭଲ କିଛି ଅର୍ଥ ମିଳିପାରିବ; ହେଲେ ଚାଷୀ ଏବେ ଫୁଲକୋବି ଓ ବନ୍ଧାକୋବି ଗୋଟାକୁ ବିଲ ମୁଣ୍ଡରେ ତିନିଟଙ୍କା ବିକ୍ରି କରିବାକୁ ବାଧ୍ୟ ହେଉଛି । ବେପାରୀ ମଧ୍ୟ ଲାଭବାନ ହେଉ ନଥିବା ଅଭିଯୋଗ ହେଉଛି, କୃଷିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ