ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର


ମୁମ୍ବାଇ(ଏଜେନ୍ସି): ଆଉ ଶୁଣିବାକୁ ମିଳିବନି ଲତା ମଙ୍ଗେସକରଙ୍କ ମଧୁର ସ୍ୱରର ଝଙ୍କାର । ସବୁଦିନ ପାଇଁ ନୀରବି ଯାଇଛି ତାଙ୍କ କଣ୍ଠର ଯାଦୁ । ୯୨ ବର୍ଷରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପ୍ରିୟ ଲତା ଦିଦି । ତାଙ୍କୁ ଆଜି ଝୁରୁଛି ପୂରା ଦେଶ । ଓଡ଼ିଶା ବି ଏଥିରୁ ବାଦ୍ ପଡିନି । ଓଡ଼ିଶା ସହ ବି ଥିଲା ଲତା ମଙ୍ଗେଶକରଙ୍କ ସମ୍ପର୍କ । ଓଡ଼ିଶାର ସଂଗୀତପ୍ରେମୀ ତାଙ୍କ ଓଡ଼ିଆ ସିନେ-ଗୀତ ପ୍ରତି ଥିବା ଅବଦାନ ଲାଗି ମନେପକାଇଛନ୍ତି । ଲତା ମଙ୍ଗେସକର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଭାଷାରେ ୫୦ ହଜାରରୁ ବି ଅଧିକ ଗୀତ ଗାଇଛନ୍ତି । ସେ ଓଡ଼ିଆ ଗୀତ ମଧ୍ୟ ଗାନକରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ପାରିଥିଲେ । ସ୍ୱର ସାମ୍ରାଜ୍ଞୀ ୨ଟି ଓଡ଼ିଆ ଫିଲ୍ମରେ ଗୀତ ଗାଇଛନ୍ତି । ଓଡ଼ିଆ ଫିଲ୍ମ ‘ସୂର୍ଯ୍ୟମୁଖୀ’(୧୯୬୩)ର ‘ସେଇ ଚୁନାଚୁନା ତାରା ଫୁଲ ଆଜି…’ ଓ ‘ଅରୁନ୍ଧତୀ’(୧୯୬୮)ର ‘ଆଜି ମୁଁ ଶ୍ରାବଣୀ…’ ଗୀତରେ ରହିଛି ଲତାଙ୍କ ଭଏସ । ଏହି ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର । ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଙ୍ଗୀତ ଜଗତ ଓ ଚଳଚ୍ଚିତ୍ର ଜଗତ ମହାନ ଗାୟିକା ଲତାଙ୍କ ସହ ଯୋଡ଼ି ହୋଇ ରହିଛି । ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଏହି ଦୁଇଟି ଗୀତର ସ୍ୱର ସଂଯୋଜନା କରିବା ବେଳେ ହିଁ ସ୍ଥିର କରିଥିଲେ ଯେ, ଏଥିରେ ଲତାଜୀଙ୍କୁ ହିଁ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ଗାୟନ କରାଇବେ । ଏଥିପାଇଁ ସେ ପ୍ରଥମେ ପ୍ରଯୋଜକଙ୍କୁ କହିଥିଲେ । ପ୍ରଯୋଜକ ମଧ୍ୟ ରାଜି ହୋଇଯାଇଥିଲେ । ତା’ ପରେ ବମ୍ବେରେ ସଙ୍ଗୀତକାର ଶାନ୍ତନୁ ମହାପାତ୍ର ଲତାଜୀଙ୍କ ପାଖକୁ ଯାଇ ଗୀତର ସ୍ୱର ଶୁଣାଇଥିଲେ । ଗୀତର ସ୍ୱର ଶୁଣିଲା ପରେ ଲତାଜୀ ଉତ୍ସାହିତ ହୋଇଥିଲେ ଏବଂ ସେଥିରେ କଣ୍ଠଦାନ କରିବାକୁ ମଧ୍ୟ ରାଜି ହୋଇଯାଇଥିଲେ । ଆଜି ଏହି ଗୀତ ପାଇଁ ପୂରା ଓଡ଼ିଆ ସିନେ ଜଗତ ଲତାଜୀଙ୍କୁ ଝୁରୁଛି ।
ଲତା ଦିଦି ଗତ ମାସରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ସହିତ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ । ହସ୍ପିଟାଲ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ସେ ସମୟରେ ତାଙ୍କର କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଥିଲା । ହେଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବନତି ଘଟିଥିଲା । ତେଣୁ ଭେଣ୍ଟିଲେଟରରେ ନେଇ ରଖାଯାଇଥିଲା । ୨୯ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ।
ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ମାନେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତ ରତ୍ନ, ଲତାଜୀଙ୍କର ଉପଲବ୍ଧି ଅତୁଳନୀୟ ରହିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ମୁଁ ମୋ ଦୁଃଖକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ; ଲତା ଦିଦି ଦେଶରେ ଶୁନ୍ୟତା ଛାଡ଼ି ଚାଲିଯାଇଛନ୍ତି, ଯାହାକୁ ପୂର୍ଣ୍ଣ କରାଯାଇ ପାରିବ ନାହିଁ । ଆଗାମୀ ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ମାଇଲଖୁଣ୍ଟ ଭାବେ ମନେ ରଖିବ, ଯାହାଙ୍କର ସୁମଧୁର ସ୍ୱରରେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବାର ଅଦ୍ୱିତୀୟ କ୍ଷମତା ଥିଲା । ତେବେ ଲତାଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର, ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ସୂଚନା ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ