ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ; ପିନାକ ମିଶ୍ର ହେବେ କଟକ ଓ ପ୍ରତୀକ ସିଂହ ହେବେ ଭୁବନେଶ୍ୱର ଡିସିପି
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ଅଦଳବଦଳ ପ୍ରକ୍ରିୟାରେ କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି । କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଥିବାବେଳେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ମିଳିଛି । ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୁଲିସ୍ କମିଶନର ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ସେହିଭଳି କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ତେବେ ସ୍ପେଶାଲ ଡିଜି (ସ୍ପେଶାଲ ଆର୍ମଡ ପୁଲିସ୍) ମନୋଜ ଛାବ୍ରାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି । ଜେଲ୍ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ସେବା ଓ ହୋମ୍ ଗାର୍ଡସ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ଏବେ ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି (ଏଡିଜି) ଭାବେ ନୂଆ ନିଯୁକ୍ତି ମିଳିଛି । ତେବେ ପରିବହନ କମିଶନର ଭାବେ ସେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଟ୍ୱିନ୍ ସିଟି ଅତିରିକ୍ତ ପୁଲିସ୍ କମିଶନର ଥିବା ନିତି ଶେଖରଙ୍କୁ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ରାଉରକେଲାକୁ ବଦଳି କରାଯାଇଛି । ପୁନଶ୍ଚ ନବରଙ୍ଗପୁର ଏସପି ଥିବା ପରମାର ସ୍ମିତ ପରଷୋତ୍ତମ ଦାସଙ୍କୁ ବରଗଡ଼ ଏସପିି ଭାବେ ବଦଳି କରାଯାଇଛି । ଏବେ ବରଗଡ଼ ଏସପି ଥିବା ରାହୁଲ ଜୈନଙ୍କୁ ଝାରସୁଗୁଡ଼ାକୁ ବଦଳି କରାଯାଇଛି । କଳାହାଣ୍ଡି ଏସପି ଶ୍ରବଣ ବିବେକ ଏମ୍ଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି । ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପିି ଭାବେ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଥିବା ଏସ୍. ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି, ନାରକୋଟିକ୍ସ ସ୍ପେଶାଲ୍ ଟାକ୍ସ ଫୋର୍ସ ଏସପି ଅଭିଳାଷ ଜି.ଙ୍କୁ କଳାହାଣ୍ଡି ଏସପି ଓ ଖୋର୍ଦ୍ଧା ଏସପି ଥିବା ଅଖିଳ ପହିଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି ।