ଆଇପିଏସ୍ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟସରକାର, ୩ଜଣଙ୍କୁ ଡିଆଇଜି ଭାବେ ପଦୋନ୍ନତି

#ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରାଜ୍ୟସରକାରଙ୍କ ପକ୍ଷରୁ ୨୦୦୯ ବ୍ୟାଚର ୩ ଜଣ ଆଇପିଏସ୍ଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲ୍ଲାରେ ନୂଆ ଏସପିମାନଙ୍କୁ ଅବସ୍ଥାପିତ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଣାପଡ଼ିଛି ଯେ, ଜଗତସିଂହପୁରରେ ଏସପି ଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଛି । ତାଙ୍କୁ ଏସଏପି ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ଗଞ୍ଜାମ ଏସପି ଥିବା ବ୍ରିଜେଶ କୁମାର ରାୟଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇ ଅନୁଗୋଳ ରେଞ୍ଜ ଡିଆଇଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ପୁନଶ୍ଚ ଭଦ୍ରକ ଏସପି ଚରଣସିଂହ ମୀନାଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି । ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ବାଲେଶ୍ୱର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ଏସପି ଭାବେ ବଦଳି କରାଯାଇଛି । ଯାଜପୁର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁର ବଦଳି କରାଯାଇଥିବା ବେଳେ ଅନୁଗୋଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଏସପି ଏଲ୍ ଦିବ୍ୟାଙ୍କୁ ଭିଜିଲାନ୍ସ ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି । ସ୍ପେଶାଲ ବ୍ରାଞ୍ଚ ଏସପି ଥିବା ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସପି ଭାବେ ଅବସ୍ଥାପିତ କରାଯାଇଛି । ପୁନଶ୍ଚ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ବଦଳି କରାଯାଇଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଏସପି ଥିବା ସାଗରିକା ନାଥଙ୍କୁ ବାଲେଶ୍ୱର ବଦଳି କରାଯାଇଛି । କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ଏସପି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ବଦଳି କରାଯାଇଛି । ବାଲିଗୁଡ଼ା ଏସଡିପିଓ ଥିବା ୨୦୧୯ ବ୍ୟାଚର ଆଇପିଏସ୍ ଅଫିସର ଗୁଣ୍ଡାଲା ରେଡ୍ଡୀ ଆରଙ୍କୁ ନୂଆପଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୨୦୧୯ ବ୍ୟାଚର ଆଇପିଏସ୍ ତଥା ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳର ଏସପି ଓ କେଶିଙ୍ଗା ଏସଡିପିିଓ ଅଭିନବ ସୋନକରଙ୍କୁ କୋରାପୁଟ ଏସପି ଭାବେ ନିଯୁକ୍ତି ମିଳିଛି ।