ଆଇପିଏଲ୍: ଲକ୍ଷ୍ନୌକୁ ହରାଇଲା ଗୁଜୁରାଟ
#ଲକ୍ଷ୍ନୌ(ଏନ୍.ଏମ୍.): ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ବେଶ ଚିତାକର୍ଷକ ହୋଇଛି । ଏହି ଲୋ ସ୍କୋରିଂ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ ୭ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ବିଜୟ ହାସଲ କରିଛି । ଲକ୍ଷ୍ନୌର ଦୁଇ ଓପନର ପ୍ରଥମ ୱିକେଟ ପାଇଁ ୬.୩ ଓଭରରୁ ୫୫ରନ ସଂଗ୍ରହ କରିବାରୁ ଗୁଜୁରାଟ ପକ୍ଷରୁ ଧାର୍ଯ୍ୟ ୧୩୬ରନର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସହଜରେ ହାସଲ କରିନେବ ବୋଲି ଆଶା କରାଯାଉଥିଲା । ମାତ୍ର ଗୁଜୁରାଟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ଲକ୍ଷ୍ନୌର ବ୍ୟାଟର ହାର ମାନିଥିଲେ । ଶେଷ ଓଭରରେ ୧୨ରନ ଆବଶ୍ୟକ ଥିବାବେଳେ ଷ୍ଟ୍ରାଇକ ଏଣ୍ଡରେ ଅଧିନାୟକ କେଏଲ ରାହୁଲ ରହିଥିଲେ । ମାତ୍ର ମୋହିତ ଶର୍ମା ଏହି ଓଭର ବୋଲିଂ କରିବାକୁ ଆସି ପ୍ରଥମ ବଲରେ ୨ରନ ବ୍ୟୟ କରିଥିଲେ । ଏହାର ପରବର୍ତ୍ତୀ ବଲରେ ସେ ରାହୁଲଙ୍କୁ କ୍ୟାଚ ଆଉଟ୍ କରାଇ ପାଭିଲିଅନ ଫେରାଇ ଦେଇଥିଲେ । ଓଭରର ତୃତୀୟ ଚତୁର୍ଥ ଏବଂ ପଞ୍ଚମ ବଲ୍ରେ ଲକ୍ଷ୍ନୌ ୱିକେଟ ହରାଇବାରୁ ଦଳ ୧୨୮ରନରେ ସୀମିତ ରହିଥିଲା । ରାହୁଲ ସର୍ବାଧିକ ୬୮ରନ କରିଥିବାବେଳେ କାଏଲ ମେୟର ୨୪ ଓ କ୍ରୁନାଲ ପାଣ୍ଡ୍ୟା ୨୩ରନ ସଂଗ୍ରହ କରିଥିଲେ । ସେହିପରି ଗୁଜୁରାଟ ପକ୍ଷରୁ ନୁର ଅହମ୍ମଦ ୪ ଓଭର ବୋଲିଂ କରି ୧୮ରନରେ, ମୋହିତ ୩ ଓଭର ବୋଲିଂ କରି ୧୭ରନରେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ମୋହିତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ମ୍ୟାଚରେ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦଳ ୪ରନରେ ପ୍ରଥମ ୱିକେଟ ହରାଇଥିବାବେଳେ ପରବର୍ତ୍ତୀ ସମୟରେ ହାର୍ଦ୍ଦିକ ଓ ଅନ୍ୟତମ ଓପନର ରିଦ୍ଧିମାନ ଶାହା ଦଳୀୟ ସ୍କୋରକୁ ୭୨ରନରେ ପହଞ୍ଚାଇଥିଲେ । ଏହି ସମୟରେ ଶାହା ୪୭ରନ କରି ଆଉଟ୍ ହୋଇଥିଲେ । ମାତ୍ର ଏହାପରେ ହାର୍ଦ୍ଦିକଙ୍କ ୬୬ରନ ଯୋଗୁ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୩୫ରନ କରିବାକୁ ସମର୍ଥ ହୋଇଥିଲା । ଟାଇଟନ୍ସ ପକ୍ଷରୁ କ୍ରୁନାଲ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ୱିକେଟ ନେଇଥିଲେ ।