ଆଇପିଏଲ୍: ମୁମ୍ବାଇ ବିପକ୍ଷରେ ଗୁଜୁରାଟର ବଡ଼ ବିଜୟ
#ଅହମ୍ମଦାବାଦ(ଏନ୍.ଏମ୍.): ଆଇପିଏଲର ୩୫ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ, ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ୫୫ରନର ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଂ କରି ୨୦୭ରନ କରିଥିବାବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୫୨ରନ କରି ପରାଜିତ ହୋଇଥିଲା । ମୁମ୍ବାଇ ପକ୍ଷରୁ ନିମ୍ନ କ୍ରମ ବ୍ୟାଟ୍ସମ୍ୟାନ ନେହାଲ ୱାଧେରା ସର୍ବାଧିକ ୪୦ରନ କରିଥିବାବେଳେ କ୍ୟାମରନ ଗ୍ରୀନ ୩୩ ଓ ସୂର୍ଯ୍ୟ କୁମାର ଯାଦବ ୨୩ରନର ଇନିଂସ ଖେଳିଥିଲେ । ଅନ୍ୟପକ୍ଷରେ ଗୁଜୁରାଟ ପକ୍ଷରୁ ଦୁଇ ଆଫଗାନୀ ବୋଲର ନୁର ଅହମ୍ମଦ ଓ ରସିଦ ଖାନ ଚମତ୍କାର ବୋଲିଂ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନୁରଙ୍କୁ ୩ଟି ୱିକେଟ ମିଳିଥିବାବେଳେ ରସିଦ, ମୋହିତ ଶର୍ମାଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଥିଲା । ତେବେ ମହମ୍ମଦ ସାମି ୪ ଓଭରରେ ମାତ୍ର ୧୮ରନ ବ୍ୟୟ କରି କୌଣସି ୱିକେଟ ପାଇ ନଥିଲେ । ମୁମ୍ବାଇ ଦଳଗତ ସ୍କୋର ୪ ବେଳେ ଅଧିନାୟକ ରୋହିତଙ୍କ ୱିକେଟ ହରାଇଥିବାବେଳେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । କୌଣସି ବ୍ୟାଟର ବେଶୀ ସମୟ ପିଚରେ ତିଷ୍ଠି ପାରି ନଥିଲେ ।
ମୁମ୍ବାଇ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଗୁଜୁରାଟ ପ୍ରାରମ୍ଭରୁ ଧିମା ବ୍ୟାଟିଂ କରିଥିଲା । ଶୁଭମନ ଗିଲ ଗୋଟିଏ ପଟେ ଭଲ ସଟ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଶେଷ ଭାଗରେ ଡେଭିଡ ମିଲର ୨୨ବଲରୁ ୪୬, ଅଭିନବ ମନୋହର ୨୧ବଲରୁ ୪୨ ଓ ରାହୁଲ ତିୱତିଆ ୫ବଲରୁ ୨୦ରନ ସଂଗ୍ରହ କରିବା ଫଳରେ ଗୁଜୁରାଟ ୨୦୦ ସ୍କୋର ପାର କରିପାରିଥିଲା । ୧୩ତମ ଓଭରରେ ଦଳ ୧୦୦ସ୍କୋର ପାର କରିଥିଲା । ତେବେ ପରବର୍ତ୍ତୀ ୭ ଓଭରରେ ଦଳ ୧୦୫ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୨୦୭ରନ କରିପାରିଥିଲା । ମୁମ୍ବାଇ ପକ୍ଷରୁ ଅର୍ଜୁନ ତେନ୍ଦୁଲକର ୨ ଓଭରରେ ୯ରନ ବ୍ୟୟ କରି ଗୋଟିଏ ୱିକେଟ ହାସଲ କରିଥିଲେ । ଭେଟେରାନ ସ୍ପିନର ପିୟୂଷ ଚାୱଲାଙ୍କୁ ୨ଟି ୱିକେଟ ମିଳିଥିଲା । ଏହି ବିଜୟ ସହ ଗୁଜୁରାଟ ୭ଟି ମ୍ୟାଚରୁ ୫ମ ବିଜୟ ହାସଲ କରି ମୋଟ ୧୦ ପଏଣ୍ଟ ସହ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।