ଆଇପିଏଲ୍: ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ
#IPL
ହାଇଦ୍ରାବାଦ(ଏନ୍.ଏମ୍.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏଠାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୨୫ତମ ମ୍ୟାଚରେ ମୁମ୍ବାଇ ଘରୋଇ ହାଇଦ୍ରାବାଦକୁ ୧୪ରନରେ ପରାସ୍ତ କରିଛି । ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୩ରନର ବିଜୟ ଲକ୍ଷ୍ୟକୁ ପିଚ୍ଛା କରି ହାଇଦ୍ରାବାଦ ଗୋଟିଏ ବଲ୍ ବାକିଥାଇ ସମସ୍ତ ୱିକେଟ ହରାଇ ୧୭୮ରନ୍ କରିବାକୁ ସମର୍ଥ ହୋଇଥିଲା । ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ଅଧିନାୟକ ଆଇଡେନ୍ ମାର୍କରାମ ଫିଲ୍ଡିଂ ଲାଗି ନିଷ୍ପତ୍ତି ନେଇଥିଲେ । ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଈଶାନ କିଶାନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ୪.୩ ଓଭରରେ ଉଭୟେ ୪୧ରନ ସଂଗ୍ରହ କରିଥିବାବେଳେ ଏହାର ପରବର୍ତ୍ତୀ ବଲରେ ରୋହିତ ୧୮ବଲର ୨୮ରନ୍ କରି ଟି.ନଟରାଜନଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ । ଏହାପରେ ଈଶାନ ଓ କ୍ୟାମରନ୍ ଗ୍ରୀନ୍ ଦ୍ରୁତ ଗତିରେ ରନ ସଂଗ୍ରହ କରି ଚାଲିଥିଲେ । ଈଶାନ ୩୧ବଲରେ ୩୮ରନ କରି ଆଉଟ୍ ହୋଇଥିବାବେଳେ ଗ୍ରୀନ ୪୦ ବଲରୁ ୬୪ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ନଟ୍ଆଉଟ୍ ରହିଥିଲେ । ଶେଷ ଭାଗରେ ତିଲକ ବର୍ମା ୧୭ବଲରୁ ୩୭ରନ ସଂଗ୍ରହ କରିବାରୁ ମୁମ୍ବାଇ ୫ ୱିକେଟ୍ ହରାଇ ୧୯୨ରନ୍ ସଂଗ୍ରହ କରିପାରିଥିଲା ।
୧୯୩ରନର ବିଜୟଲକ୍ଷ୍ୟ ପିଚ୍ଛାକରି ମାତ୍ର ୧୧ରନରେ ଇନଫର୍ମ ବ୍ୟାଟର ହ୍ୟାରି ବ୍ରୁକ୍(୯)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ୍, ଅଧିନାୟକ ମାର୍କରାମ ଓ ହେନ୍ରିଚ୍ କ୍ଲାସେନ୍ କିଛି ସମୟ ପିଚରେ ତିଷ୍ଠି ରହି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ । ମାତ୍ର ଏମାନଙ୍କ ୱିକଟର ପତନ ପରେ ଅନ୍ୟ କୌଣସି ବ୍ୟାଟର ବଡ଼ ସର୍ଟ ଖେଳିବାରେ ସଫଳ ହୋଇ ପାରି ନଥିଲେ । ମୟଙ୍କ ୪୧ବଲରୁ ୪୮, ମାର୍କରାମ ୧୭ବଲରୁ ୨୨ ଓ ୧୬ବଲରୁ ଦ୍ରୁତ ୩୬ରନ୍ ସଂଗ୍ରହ କରିଥିଲେ । ହାଇଦ୍ରାବାଦକୁ ଶେଷ ଦୁଇ ଓଭରରେ ମାତ୍ର ୨୪ରନ୍ ଆବଶ୍ୟକତା ଥିଲେ ମଧ୍ୟ ଦଳ ଏହି ମ୍ୟାଚକୁ ଜିତିବାରେ ସମର୍ଥ ହୋଇ ପାରି ନଥିଲା । ଏହି ମ୍ୟାଚରୁ ମୁମ୍ବାଇ ୨ପଏଣ୍ଟ ହାସଲ କରିବା ସହ ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରୁ ତୃତୀୟ ବିଜୟ ହାସଲ କରି ମୋଟ୍ ୬ ପଏଣ୍ଟ ସହ ପଏଣ୍ଟ ଟେବଲର ୬ଷ୍ଠ ସ୍ଥାନରେ ପହଞ୍ଚିଛି । ଗ୍ରୀନ ଅପରାଜିତ ୬୪ରନ୍ ଓ ୪ ଓଭର ବୋଲିଂ କରି ୨୯ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ହାସଲ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଆସନ୍ତା କାଲି ହେବାକୁ ଥିବା ୨୬ତମ ମ୍ୟାଚରେ ରାଜସ୍ଥାନ ରୟଲ୍ସ କେଏଲ୍ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ଭେଟିବ । ଏହି ମ୍ୟାଚ୍ ଜୟପୁରରେ ହେବାକୁ ଥିବାବେଳେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।