ଆଇପିଏଲ୍: ବାଙ୍ଗାଲୋର ୭ରନରେ ବିଜୟୀ
#ବାଙ୍ଗାଲୋର(ଏନ୍.ଏମ୍.): ଧ୍ରୁବ ଜୁରେଲଙ୍କ ୧୬ବଲରୁ ୩୪ରନ ସନ ରାଜସ୍ଥାନ ରୟାଲ୍ସର ବିଜୟ ପାଇଁ ଯଥେଷ୍ଟ ହୋଇ ପାରି ନଥିଲା । ରବିବାର ଅନୁଷ୍ଠିତ ଆଇପିଏଲର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ୩୨ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ୭ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ଏଥିସହିତ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୪ଟି ବିଜୟ ସହ ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଫାପ ଡୁପ୍ଲେସିଙ୍କ ଶତକୀୟ ଭାଗିଦାରୀ ବାଙ୍ଗାଲୋର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ରୟାଲ୍ସ ସମ୍ମୁଖରେ ୧୯୦ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ରୟାଲ୍ସ ପ୍ରଥମ ଓଭରର ୪ର୍ଥ ବଲରେ ପ୍ରମୁଖ ବ୍ୟାଟର ଜୋସ ବଟଲରଙ୍କ ୱିକେଟ ହରାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଜଶସ୍ୱୀ ଜଏସ୍ୱାଲ(୪୭) ଓ ଦେବଦୂତ ପାଡ଼ିକଲ (୫୨) ଦ୍ୱିତୀୟ ୱିକେଟ ପାଇଁ ୧୧ ଓଭରରୁ ୯୮ରନ କରି ଦଳର ବିଜୟ ଆଶା ଉଦ୍ଜୀବିତ କରିଥିଲେ । ଏହି ସ୍କୋରରେ ପାଡ଼ିକଲ ୩୪ବଲରୁ ୫୨ରନ କରି ଆଉଟ ହୋଇଥିଲା । ପରେ ଦଳୀୟ ସ୍କୋର ୧୦୮ ବେଳେ ଜଏସ୍ୱାଲ ୩୭ ବଲରୁ ୪୭ରନ କରି ଆଉଟ ହୋଇଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନଙ୍କ ଦ୍ରୁତ ୨୨ରନ ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିବାବେଳ ଜୁରେଲ ଶେଷ ଭାଗରେ ୩୪ରନ କରିଥିଲେ । ଶେଷ ଓଭରରେ ଦଳ ବିଜୟ ପାଇଁ ୨୦ରନ ଆବଶ୍ୟକ ଥିଲା । ପ୍ରଥମ ୩ଟି ବଲରୁ ରବିଚନ୍ଦ୍ରନ ଅଶ୍ୱିନ ୧୦ରନ ସଂଗ୍ରହ କରିଥିଲେ । ଫଳରେ ଶେଷ ୩ଟି ବଲରୁ ବିଜୟ ପାଇଁ ୧୦ରନ ଆବଶ୍ୟକ ରହିଥିଲା । ତେବେ ହର୍ସଲ ପଟେଲଙ୍କ ଚମକ୍ରାର ବୋଲିଂ ଯୋଗୁ ବାଙ୍ଗାଲୋର ୭ରନରେ ବିଜୟୀ ହୋଇଥିଲା । ରାଜସ୍ଥାନ ୬ ୱିକେଟ ହରାଇ ୧୮୨ରନ କରି ପାରିଥିଲା । ହର୍ସଲ ୩୨ରନରେ ସର୍ବାଧିକ ୩ ୱିକେଟ ନେଇଥିବାବେଳେ ମ୍ୟାକ୍ସୱେଲଙ୍କୁ ମ୍ୟାନ ଅଫଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା ।
ରାଜସ୍ଥାନ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଅଧିନାୟକ ବିରାଟ କୋହଲି ପ୍ରଥମ ବଲରେ ଆଉଟ ହୋଇଥିବାବେଳେ ଦଳୀୟ ସ୍କୋର ୧୨ ବେଳେ ସେହବାଜ ଅହମ୍ମଦଙ୍କ ୱିକେଟର ପତନ ଘଟିଥିଲା । ମାତ୍ର ଡୁପ୍ଲେସି ଓ ମ୍ୟାକ୍ସୱେଲ ତୃତୀୟ ୱିକେଟ ପାଇଁ ୧୧ ଓଭରରୁ ୧୨୭ରନ ସଂଗ୍ରହ କରିବାରୁ ବାଙ୍ଗାଲୋର ୨୦୦ ସ୍କୋର ପାର କରିଯିବ ବୋଲି ଆଶା କରାଯାଉଥିଲା । ହେଲେ ମ୍ୟାକ୍ସୱେଲ୍(୭୭, ୪୪ବଲ) ଓ ଡୁପ୍ଲେସି (୬୨,୩୯ ବଲ)ଙ୍କ ୱିକେଟ ପତନ ପରେ ଅନ୍ୟ କୌଣସି ବ୍ୟାଟର ବଡ଼ ସଟ୍ ଖେଳିବାକୁ ସମର୍ଥ ହୋଇ ନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୮୯ରନ ସଂଗ୍ରହକରି ପାରିଥିଲା ।