ଆଇପିଏଲ୍: ଦିଲ୍ଲୀର ଦ୍ୱିତୀୟ ବିଜୟ
#ହାଇଦ୍ରାବାଦ(ଏନ୍.ଏମ୍.): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଆଜି ଟୁର୍ଣ୍ଣାମେଣ୍ଟର ୩୪ତମ ମ୍ୟାଚରେ ଦୁଇ ଦୁର୍ବଳ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ଘରୋଇ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳ ନିର୍ଦ୍ଧାରିତ ଓଭରରେ ୧୪୪ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ତେବେ ୧୪୫ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ଦିଲ୍ଲୀ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ହାଇଦ୍ରାବାଦ ବ୍ୟାଟରମାନେ ବଡ଼ ସଟ୍ ଖେଳିବାରେ ଅସଫଳ ହୋଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିବା ସହ ୭ରନରେ ପରାସ୍ତ ହୋଇଥିଲା । ହାଇଦ୍ରାବାଦ ୩୧ରନରେ ପ୍ରଥମ ୱିକେଟ ଭାବେ ହରି ବ୍ରୁକ(୭)ଙ୍କ ୱିକେଟ ହରାଇଥିଲା । ପରେ ମୟଙ୍କ ଅଗ୍ରୱାଲ ଓ ଇମ୍ପାକ୍ଟ ପ୍ଲେୟାର ରାହୁଲ ତ୍ରିପାଠୀ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ବଡ଼ ସଟ େଖେଳିବାରେ ବିଫଳ ହୋଇଥିଲେ । ମୟଙ୍କ ଦଳୀୟ ସ୍କୋର୬୯ ବେଳେ ୩୭ ବଲରୁ ୪୯ରନ କରି ଆଉଟ ହୋଇଥିଲେ । ପରେ ୭୫ରନରେ ରାହୁଲ (୧୫) ୭୯ରନରେ ଅଭିଷେକ ଶର୍ମା ଓ ୮୫ରନ ବେଳେ ଆଇଡେନ ମାର୍କରାମ ଆଉଟ ହୋଇଥିଲେ । ଏହାପରେ ହେନରିଚ କ୍ଲାସେନ ଓ ୱାସିଂଟନ ସୁନ୍ଦର ଅପେକ୍ଷାକୃତ ଭଲ ବ୍ୟାଟିଂ କରି ଦଳକୁ ବିଜୟ ଦିଗରେ ଅଗ୍ରସର କରାଇଥିଲେ । ମାତ୍ର ୧୨୬ ସ୍କୋରରେ କ୍ଲାସେନ ଆଉଟ ହେବା ପରେ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ମୋର୍କୋ ଜାନସେନ ଓ ସୁନ୍ଦର ଶେଷ ଓଭରରେ ଅବଶ୍ୟକ ୧୩ରନ କରିବାରେ ସମର୍ଥ ହୋଇ ନଥିଲେ । ଅକ୍ସର ବ୍ୟାଟିଂରେ ୩୪ରନ ଓ ୪ ଓଭର ବୋଲିଂ କରି ୨୧ରନରେ ୨ଟି ୱିକେଟ ଅକ୍ତିଆର କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଏହି ମ୍ୟାଚରେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ୧ରନରେ ଦଳ ଫିଲ୍ ସଲ୍ଟଙ୍କ ୱିକେଟ ହରାଇଥିଲା । ୱାର୍ଣ୍ଣରଙ୍କ ୨୧, ମିଚେଲ ମାର୍ଶଙ୍କ ୨୫, ମନିଷ ପାଣ୍ଡେ ଓ ଅକ୍ସର ପଟେଲଙ୍କ ୩୪ରନର ଇନିଂସ ଯୋଗୁ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୪୪ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ସୁନ୍ଦର ୩ଟି ଓ ଭୁବନେଶ୍ୱର କୁମାର ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ୩ଜଣ ବ୍ୟାଟର ରନଆଉଟ୍ ହୋଇଥିଲେ । ଏହି ବିଜୟରୁ ଦିଲ୍ଲୀ ୨ ପଏଣ୍ଟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ପଏଣ୍ଟ ସହ ପଏଣ୍ଟ ଟେବଲରେ ପୂର୍ବ ଭଳି ଶେଷ ସ୍ଥାନରେ ରହିଛି ।