ଆଇପିଏଲ୍: ଆରସିବିକୁ ହରାଇଲା କେକେଆର
#ବାଙ୍ଗାଲୋର(ଏନ୍.ଏମ୍.): ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଦ୍ୱିତୀୟ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କେକେଆର ବିଜୟୀ ହୋଇଥିବାବେଳେ ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ କେକେଆର ୨୧ରନରେ ଆରସିବିକୁ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେକେଆର ଆରସିବି ସମ୍ମୁଖରେ ୨୦୧ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ଆରସିବି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୯ରନ ସଂଗ୍ରହ କରିପାରିଥିଲା । ଆରସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଇମ୍ପାକ୍ଟ ପ୍ଲେୟାର ଫାଫ ଡୁପ୍ଲେସି ଓପନ କରିବାକୁ ଆସି ପ୍ରଥମ ୱିକେଟ ପାଇଁ ୨.୨ ଓଭରରୁ ୩୧ରନ ସଂଗ୍ରହ କରିଥିଲେ । ତେବେ ଡୁପ୍ଲେସିଙ୍କ ୱିକେଟ ପତନ ପରେ ଆରସିବି ସହଳ ଆଉ ୨ଟି ୱିକେଟ ହରାଇଥିଲା । ଦଳୀୟ ସ୍କୋର ୫୧ ବେଳେ ସାହାବାଜ ଅହମ୍ମଦ(୨) ଓ ୫୮ ସ୍କୋର ବେଳେ ଗ୍ଲେନ ମ୍ୟାକ୍ସୱେଲ(୫)ଙ୍କ ୱିକେଟ ହରାଇଥିଲା । ଏହାପରେ ବିରାଟ ଓ ମହିପାଳ ଲୋମର କିଛି ସମୟ ଭଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ । ତେବେ ଦଳୀୟ ସ୍କୋର ୧୧୩ବେଳେ ଲୋମର ୧୮ ବଲରୁ ୩୪ରନ କରି ଓ ୧୧୫ ସ୍କୋର ବେଳେ ବିରାଟ ୩୭ ବଲରୁ ୫୪ରନ କରି ଆଉଟ ହୋଇ ଯାଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଆରସିବି ବିଜୟ ନେଇ ଆଶଙ୍କା ପ୍ରକାଶ ପାଇଥିଲା । କେକେଆର ପକ୍ଷରୁ ଚମକ୍ରାର ବରୁଣ ଚକ୍ରବର୍ତ୍ତୀ ୪ ଓଭର ବୋଲିଂ କରି ୨୭ରନରେ ସର୍ବାଧିକ ୩ଟି ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇ କେକେଆର ପକ୍ଷରୁ ଜେସନ ରୟ ଓ ନାରାୟଣ ଜଗଦୀଶନ ଓପନ କରିବାକୁ ଆସିଥିଲେ । ଦୁହେଁ ପ୍ରଥମ ୱିକେଟ ଲାଗି ୯.୨ ଓଭରରୁ ୮୩ରନ ସଂଗ୍ରହ କରି ବଡ଼ ସ୍କୋରର ମୁଳଦୁଆ ପକାଇଥିଲେ । ରୟ ୨୯ବଲରୁ ୫୬ରନ କରିଥିବାବେଳେ ଅଧିନାୟକ ନିତିଶ ରାଣା ୨୧ବଲରୁ ୪୮ରନ ସଂଗ୍ରହ କରିଥିଲେ । ସେହିଭଳି ଭେଙ୍କଟେସ ଆୟର ୩୧ ଓ ଜଗଦୀଶନ ୨୭ରନର ଇନିଂସ ଖେଳିଥିଲେ । ଫଳରେ କେକେଆର ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୨୦୦ରନ ସଂଗ୍ରହ କରିପାରିଥିଲା । ଏହି ବିଜୟରୁ କେକେଆର ୨ ପଏଣ୍ଟ ହାସଲ କରି ମୋଟ ୬ ପଏଣ୍ଟ ସହ ପଏଣ୍ଟ ଟେବଲର ୭ମ ସ୍ଥାନରେ ରହିଛି ।