ଭୁବନେଶ୍ୱର(ଏନ୍.ଏମ୍.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୟାସ ଏବେ ବାତ୍ୟାର ରୂପ ନେବାକୁ ଯାଉଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ମାତ୍ର ୨ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ତେବେ ବାତ୍ୟା ଯେତେ ଧୀରେଧୀରେ ଗତି କରିବ, ସେତେ ଶକ୍ତିଶାଳୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ବାତ୍ୟା ୟାସ ମଧ୍ୟ ଅଧିକ ଶକ୍ତିଶାଳୀ ହେଉଥିବା ଆଶଙ୍କା କରାଯାଇଛି । ବିଭାଗର ଅନୁମାନ ଅନୁଯାୟୀ, ୟାସ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ଓ ଏହାର ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେବ । ୟାସ ବର୍ତ୍ତମାନ ପୋର୍ଟ ବ୍ଲେୟାର ଠାରୁ ୬୨୦ କିଲୋମିଟର ବା ପାରାଦ୍ୱୀପ ଠାରୁ ୫୩୦ କିଲୋମିଟର ତଥା ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଏବଂ ପଶ୍ଚିମବଙ୍ଗର ଦିଘା ଠାରୁ ୬୨୦ କିଲୋମିଟର ଦୂରତା ମଧ୍ୟରେ ରହିଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୪ ଘଣ୍ଟା ପରେ ଏହା ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗକୁ ଛୁଇଁବ ।
ପାଣିପାଗ ସୂଚନା ଅନୁଯାୟୀ ୟାସ ଉଗ୍ର ରୂପ ଧାରଣ କରି ଓଡ଼ିଶାର ପରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବ । ଏହି ସମୟରେ ପବନର ସର୍ବାଧିକ ବେଗ ୧୮୫ କିଲୋମିଟର ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ପୂର୍ବାନୁମାନ କରିଛି । ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଧୀରେଧୀରେ ଗତି କରୁଥିବାରୁ ଏହା ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ତଥାପି ୨୬ ତାରିଖ ମଧ୍ୟାହ୍ନରେ ହିଁ ଏହା ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିଲୋମିଟର ଓ ବେଳେବେଳେ ୧୮୫ କିଲୋମିଟର ମଧ୍ୟ ଛୁଇଁପାରେ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ଥିବା ୟାସ ପ୍ରଭାବରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହୁଛି । ସନ୍ଧ୍ୟା ବେଳକୁ ଏହା ଭୀଷଣ ବାତ୍ୟାର ରୂପ ଧାରଣ କରିବା ପରେ ପବନର ବେଗ ୯୦ରୁ ୧୦୦ କିଲୋମିଟରରେ ପହଞ୍ଚôବ । ଏବଂ ରାତି ୧୧ଟା ୩୦ମିନିଟ ବେଳକୁ ଏହା ବୃଦ୍ଧି ପାଇ ୧୧୦ରୁ ୧୨୦ କିଲୋମିଟର ହୋଇପାରେ । ଆସନ୍ତାକାଲି ଅର୍ଥାତ ୨୫ ତାରିଖ ସକାଳେ ଏହା ଅତି ଭୀଷଣ ରୂପ ଧାରଣ କରିବ । ତେଣୁ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବା ସହ ସନ୍ଧ୍ୟା ୫ଟା ୩୦ମିନିଟ ବେଳକୁ ପବନର ବେଗ ବଢ଼ି ୧୪୫ରୁ ୧୫୫ କିଲୋମିଟର ରହିବ । ସେହିଭଳି ୟାସ ୨୬ ତାରିଖ ବୁଧବାର ଅତି ଭୀଷଣ ରୂପ ଧାରଣ କରି ୧୫୫ରୁ ୧୬୫ କିଲୋମିଟର ପବନ ବହିବା ସହ ବେଳେବେଳେ ପବନର ବେଗ ୧୮୫ କିଲୋମଟର ହୋଇପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଇଏମଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ୟାସ ପ୍ରଭାବରେ ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିଲୋମିଟର ଭିତରେ ରହିଛି । ଏହା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ଆଶଙ୍କା ଅଧିକ ରହିଛି । ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୫୫ରୁ ୧୮୫ କିଲୋମିଟର ମଧ୍ୟରେ ରହିବ । ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ୨୫ ତାରିଖ ମଧ୍ୟରାତ୍ର ପରେ ପବନର ବେଗ ବଢ଼ିବ । ୨୬ ତାରିଖ ସକାଳୁ ପବନ ବେଗ ବଢ଼ି ୧୨୦ରୁ ୧୩୦ କିଲୋମିଟର ହେବ । ଉପକୂଳ ଛୁଇଁଲା ବେଳକୁ ଏହା ସର୍ବାଧିକ ୧୮୫ କିଲୋମିଟରରେ ପହଞ୍ଚିବ । ତେବେ ଏହି ବାତ୍ୟାର ପ୍ରଭାବ ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ରହିବ । ଏହି ୪ଟି ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ ୧୨୦ରୁ ୧୬୦ କିଲୋମିଟର ରହିପାରେ । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିଲୋମିଟର ଯାଏ ପବନ ବହିବ । ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ସମୁଦ୍ରରେ ୨ରୁ୪ ମିଟର ଉଚ୍ଚ ଜୁଆର ଆସିପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସଂପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ଗୋପାଳପୁର ବନ୍ଦରରେ ୩ନମ୍ବର ଏବଂ ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଏଥିସହିତ ପାରାଦ୍ୱୀପ ବନ୍ଦରରେ ସୋମବାର ମଧ୍ୟାହ୍ନ ସୁଦ୍ଧା ପଣ୍ୟ ଖଲାସ କରି ଜାହାଜଗୁଡିକ ସମୁଦ୍ର ଭିତରେ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବାତ୍ୟା ୟାସ୍ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲା । ତେବେ ଏଥିସହିତ କଟକ, ମୟୁରଭଞ୍ଜ, ଯାଜପୁର, ପୁରୀ, କେନ୍ଦୁଝର, ଖୋର୍ଦ୍ଧା ଜିଲାକୁ ମଧ୍ୟ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ କରିଥିବାବେଳେ ବରିଷ୍ଠ ଆଇଏଏସ ଅଧିକାରୀମାନଙ୍କୁ ବିଭିନ୍ନ ଜିଲା ଦାୟିତ୍ୱ ନ୍ୟସ୍ତ କରିଛନ୍ତି । କେନ୍ଦ୍ରାପଡା ଜିଲା ଦାୟିତ୍ୱ ହେମନ୍ତ ଶର୍ମା, ମୟୁରଭଞ୍ଜ ସୁରେଶ ବଶିଷ୍ଟ, ଜଗତସିଂହପୁର ଶାଶ୍ୱତ ମିଶ୍ର, ବାଲେଶ୍ୱର ବିଶାଲ ଦେବ, ଯାଜପୁର ଜିଲା ଦାୟିତ୍ୱ ଭି.ଭି. ଯାଦବଙ୍କୁ ଦିଆଯାଇଛି । ସେମାନେ ବାତ୍ୟା ପୂର୍ବର ପ୍ରୁସ୍ତୁତି ଓ ପରବର୍ତ୍ତୀ ସମୟରେ ଉଦ୍ଧାର ତଥା ରିଲିଫ କାର୍ଯ୍ୟ ତଦାରଖ କରିବେ ବୋଲି ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ପ୍ରକାଶ ପାଇଛି ।