ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ କୋଣାର୍କ: ସାମ୍ବାଦିକଙ୍କ ପେଟରେ ଛୁରୀ ଲଗାଇଲା ଦୂର୍ବୁତ୍ତ, ପୁଲିସ ଅସହାୟ
#କୋଣାର୍କ(ଏନ୍.ଏମ୍.): ପର୍ଯ୍ୟଟନସ୍ଥଳୀ କୋଣାର୍କ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି । ଏଠାକୁ ଦେଶ ତଥା ବିଦେଶର ଶହ ଶହ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ଅସାମାଜିକ ବ୍ୟକ୍ତିଙ୍କ ଅଭୟାରଣ୍ୟ ପାଲଟିଛି । ଏଠାରେ ଦୁବୃର୍ତ୍ତଙ୍କ ଦୌରାତ୍ମ ବଢ଼ିବଢ଼ି ଚାଲିଥିଲେ ମଧ୍ୟ ପୁଲିସର ଅପାରଗତାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ଦୁର୍ବୃତ୍ତଙ୍କ ଆକ୍ରମଣୁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ବର୍ତ୍ତି ନଥିବା ଜଣାପଡ଼ିଛି । ଯେଉଁଠି ସାମ୍ବାଦିକଙ୍କ ଜୀବନ ବିପଦରେ ସେ ସ୍ଥାନରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା କିଭଳି ସୁରକ୍ଷିତ ରହିବେ ସହଜେ ଅନୁମେୟ ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଆଜି ରବିବାର ଖବର ସଂଗ୍ରହ ପାଇଁ କୋଣାର୍କର ଗଣମାଧ୍ୟମ ପ୍ରତିନିଧିମାନେ ସୂର୍ଯ୍ୟମନ୍ଦିର ସମ୍ମୁଖକୁ ଯାଇଥିଲେ । ଏହି ସମୟରେ ପର୍ଯ୍ୟଟକଙ୍କ ସମ୍ମୁଖରେ ରାଉଳ ପାଟଣା ଗ୍ରାମର ରଞ୍ଜୁ ଲେଙ୍କା ନାମକ ବ୍ୟକ୍ତି ସମ୍ବାଦିକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୁଇଜଣ ସାମ୍ବାଦିକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଏହି ସମୟରେ ସାମ୍ବାଦିକ ଜ୍ୟୋତି ରାଜ ମହାନ୍ତିଙ୍କ ପେଟରେ ସେ ଏକ ଛୁରୀ ଲଗାଇ ଦେଇଥିବାବେଳେ ଅନ୍ୟତମ ସାମ୍ବାଦିକ ଅବନୀ ଭୂଷଣ ବାରିକଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିବାକୁ ପଛାଇ ନଥିଲେ । ସୂର୍ଯ୍ୟମନ୍ଦିର ସମ୍ମୁଖ ପୁଲିସ ପୋଷ୍ଟ ନିକଟରେ ଏଭଳି ଘଟଣା ଘଟିଥଲେ ମଧ୍ୟ ପୁଲିସ ଜାଣି ନପାରିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି । ଯଦି ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ହେଉଛି ତେବେ ବିଦେଶୀ ପର୍ଯ୍ୟଟକଙ୍କ କଥା ପଚାରେ କିଏ? ତେଣୁ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ନିମନ୍ତେ ପୁଲିସ ଅଧିକ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ହେଉଛି । ଆକ୍ରମଣ ପରେ ଖବର ସଂଗ୍ରହ ନକରି ସାମ୍ବାଦିକମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ତେବେ ଏ ସମ୍ପର୍କରେ କୋଣାର୍କ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏହି ଘଟଣାକୁ ଗୁରୁତ୍ୱ ନଦେଇ ହାଲକା ଭାବରେ ନେବା ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଚି । ତେଣୁ ପୁଲିସ ଅଭିଯୁକ୍ତଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ ନକଲେ କୋଣାର୍କ ସାମ୍ବାଦିକ ମିଳିତ ମଞ୍ଚ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।