ଅସହ୍ୟ ଗ୍ରୀଷ୍ମ ପ୍ରବାହ: କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି, ପାଣି ଟୋପେ ପାଇଁ ଡହଳ ବିକଳ ପଥଚାରୀ, ପାନୀୟ ଜଳ ବିତରଣ କେନ୍ଦ୍ର କେବେ ?

ଅସହ୍ୟ ଗ୍ରୀଷ୍ମ ପ୍ରବାହ: କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି, ପାଣି ଟୋପେ ପାଇଁ ଡହଳ ବିକଳ ପଥଚାରୀ, ପାନୀୟ ଜଳ ବିତରଣ କେନ୍ଦ୍ର କେବେ ?

ଅସହ୍ୟ ଗ୍ରୀଷ୍ମ ପ୍ରବାହ: କୁମ୍ଭକର୍ଣ୍ଣ ନିଦ୍ରାରେ ସିଏମସି, ପାଣି ଟୋପେ ପାଇଁ ଡହଳ ବିକଳ ପଥଚାରୀ, ପାନୀୟ ଜଳ ବିତରଣ କେନ୍ଦ୍ର କେବେ ?

News by Kanhu charana Panda (cuttack)

#କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲାରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଆଉଟ ପାଉଟ ହୋଇଗଲେଣି । ଜନସାଧାରଣଙ୍କ ପାଇଁ କଟକ ସହର ସତେ ଯେମିତି ତତଲା କଡେଇ ଭଳି ହୋଇଯାଇଛି । ବିଶେଷ କରି ବାଟୋଇମାନେ ଅସହ୍ୟ ଖରାରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । ହେଲେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଉଛି । କଟକ ସହରର ବିଭିନ୍ନ ସ୍ଥାନରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡ଼ିଥିବାବେଳେ ଜଳଛତ୍ର ଖୋଲାଯାଇ ନାହିଁ । ଏଠାରେ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ଉଠୁଛି । ତେବେ ଗ୍ରୀଷ୍ମ ପ୍ରବାହ ତଥା ଅଂଶୁଘାତକୁ ମୁକାବିଲା କରିବା ପାଇଁ ସିଏମସି ପକ୍ଷରୁ କେବଳ ବୈଠକରେ ନିଷ୍ପତ୍ତି ନେଇ କାର୍ଯ୍ୟ ସାରିଦେଇଥିବା ଚର୍ଚ୍ଚା ହେଉଥିବାବେଳେ ବାସ୍ତବ କ୍ଷେତ୍ରରେ ପଥିକମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ନିଆଯାଉନଥିବା ଦେଖିବାକୁ ମିଳିଛି । ସିଏମସି ଅନ୍ତର୍ଗତ ଜଗତପୁର ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଜଳଛତ୍ର କେନ୍ଦ୍ର ଟିଏ ଖୋଲା ଯାଇନଥିବା ସିଏମସିର ପାରିବାପଣିଆ ଜଳଜଳ ହୋଇ ଦେଖାଯାଉଛି ବୋଲି ବିରୋଧୀ କର୍ପୋରେଟରମାନେ ଅଭିଯୋଗ କରିଛି । ସିଏମସି ତରଫରୁ ଜଗତପୁର ଅଞ୍ଚଳରେ ରାସ୍ତାକଡ଼ରେ ଜଳଛତ୍ର କେନ୍ଦ୍ରଟିଏ ଖୋଲା ଯାଇନାହିଁ । ଜଗତପୁର ଆଇବି ରୋଡ଼ରେ ଚୌଦ୍ୱାର ପର ଠାରୁ ଯୋବ୍ରା ତଥା କେନ୍ଦ୍ରାପଡ଼ା ରାସ୍ତାର ଖଇରା ପୋଲ ଠାରୁ କଟକ ପର୍ଯ୍ୟନ୍ତ ରାସ୍ତାରେ କେଉଁଠି ବି ଲୋକଙ୍କ ପାଇଁ ଶୀଳତ ଜଳ ପ୍ରକଳ୍ପଟିଏ ନଥିବାବେଳେ ଜଳଛତ୍ର ବ୍ୟବସ୍ଥା କରାଯାଇ ନାହିଁ । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ‘ଜଳ ହିଁ ଜୀବନ’ ହୋଡିଙ୍ଗ ମରାଯାଇଥିଲେ ମଧ୍ୟ ସିଏମସି ପକ୍ଷରୁ ଗ୍ରୀଷ୍ମକାଳୀନ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳରେ ଏଭଳି ଅସହ୍ୟ ଖରାରେ ଯାତୟାତ କରୁଥିବା ପଥଚାରୀମାନେ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି । ତେବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ୪ଦିନିଆ ଛୁଟି ଘୋଷଣା କରିଥିବାବେଳେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ଏ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ହେଲେ ଏଠାରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସୂଚନା ଯୋଗ୍ୟ ଯେ, ଗତକାଲି ଜଗତପୁର ବଟ ଛକଠାରେ ମହାନଦୀରେ ମାଛ ଯାଆଁଳ ଛଡାଯିବା ପାଇଁ ବିରାଟ ଆୟୋଜନ କରାଯାଇଥିଲା । ବହୁ ଅର୍ଥ ବ୍ୟୟ କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିବାବେଳେ ଉକ୍ତ ୱାର୍ଡ଼ରେ ଜଳଛତ୍ର ଖୋଲିବା ଉପରେ କେହି ଗୁରୁତ୍ୱ ଦେଲେ ନାହିଁ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି ମେୟର ସୁବାସ ସିଂହ ଓ ଡେପୁଟି ମେୟର ଦମୟନ୍ତୀ ମାଝୀ ପ୍ରମୁଖ ଯୋଗଦେଇ ପଥଚାରୀଙ୍କ ଦୟନୀୟ ଅବସ୍ଥା ଦେଖିଥିଲେ ମଧ୍ୟ ଜଳଛତ୍ର କେନ୍ଦ୍ରଟିଏ ଖୋଲିବା ନିମନ୍ତେ କୌଣସି ପଦକ୍ଷେପ ନେଲେ ନାହିଁ ଯାହାକୁ ନେଇ ପଥଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ମେୟର ଶ୍ରୀ ସିଂହ ଡ୍ରିଙ୍କ ଫ୍ରମ ଟ୍ୟାପ ପାଇଁ ଜୋରଦାର ଡିଣ୍ଡିମ ପିଟୁଥିବାବେଳେ ଏଯାଏ ଜଳଛତ୍ରଟିଏ ଖୋଲି ପାରିଲେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଫଳରେ ଏବେ ତୃଷାର୍ତ୍ତ ପଥଚାରୀମାନେ ରାସ୍ତାକଡ଼ରେ ଥିବା ଟ୍ୟୁୱେଲ ଉପରେ ନିର୍ଭର କରୁଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ