ଅଲମ୍ପିକ୍ସ ରେସରୁ ବାଦ ପଡ଼ିଲେ ସାଇନା ଓ ଶ୍ରୀକାନ୍ତ
ହାଇଦ୍ରାବାଦ (ଏଜେନ୍ସି): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଜବରଦସ୍ତ ଝଟକା ଲାଗିଛି । ଭାରତର ଦୁଇ ଷ୍ଟାର ଶଟଲର କାଦମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ୱାଲ ଅଲିମ୍ପିକ୍ସ ରେସ୍ରୁ ବାଦ୍ ପଡ଼ିଛନ୍ତି । ଜୁନ୍ ୧୫ରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବ । ଏହାପୂର୍ବରୁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ବ୍ୟାଡମିଟନ ୱାର୍ଲ୍ଡ ଫେଡରେସନ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଶ୍ରୀକାନ୍ତ ଓ ସାଇନା ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ । ଏବେ ଆଉ କୌଣସି ଇଭେଣ୍ଟ ନଥିବାରୁ ସେମାନେ ଅଲିମ୍ପିକ୍ସ ରେସ୍?ରୁ ବାଦ ପଡ଼ିଥିବା ସ୍ପଷ୍ଟ ହୋଇଯାଇଛି । ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡରେସନ ପକ୍ଷରୁ ଖୁବଶୀଘ୍ର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଖେଳାଳିଙ୍କ ନାଁ ଘୋଷଣା କରାଯିବ । ରୋଡ ଟୁ ଟୋକିଓ ରାଙ୍କିଙ୍ଗରେ ସାଇନା ୨୨ନମ୍ବର ସ୍ଥାନରେ ଅଛନ୍ତି । ନିୟମ ଅନୁସାରେ ଟପ୍ ୧୬ ମଧ୍ୟରେ ଥିବା ଖେଳାଳିମାନେ ହିଁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିପାରିବେ । ସେହିପରି ଶ୍ରୀକାନ୍ତ ପୁରୁଷ ଏକକ ବର୍ଗରେ ୨୦ନଂ ସ୍ଥାନରେ ରହିଛନ୍ତି । ଏହାର ଅର୍ଥ ଏବେ ମହିଳା ଏକକ ବର୍ଗରେ କେବଳ ପିଭି ସିନ୍ଧୁ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁରୁଷ ବର୍ଗରେ ସାଇ ପ୍ରଣୀତ ରହିଛନ୍ତି । ପୁରୁଷ ଡବଲ୍ସରେ ଭାରତର ସାତ୍ୱିକ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରଥମଥର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ମୋଟ ଉପରେ ଭାରତ ପକ୍ଷରୁ ଏଥର ଟୋକିଓ ଅଲିମ୍ପିକ୍ସରେ ୪ ଜଣ ଶଟଲର ହିଁ ଭାଗ ନେବେ ।