ଅର୍ବାନ ବ୍ୟାଙ୍କ ୩.୮୨ କୋଟି ଟଙ୍କାର ଋଣ ଜାଲିଆତି ଘଟଣା: ପଶ୍ଚିମବଙ୍ଗରୁ ଗିରଫ ଏଲ୍‌ଆଇସି ଏଜେଣ୍ଟ

ଅର୍ବାନ ବ୍ୟାଙ୍କ ୩.୮୨ କୋଟି ଟଙ୍କାର ଋଣ ଜାଲିଆତି ଘଟଣା: ପଶ୍ଚିମବଙ୍ଗରୁ ଗିରଫ ଏଲ୍‌ଆଇସି ଏଜେଣ୍ଟ

ଅର୍ବାନ ବ୍ୟାଙ୍କ ୩.୮୨ କୋଟି ଟଙ୍କାର ଋଣ ଜାଲିଆତି ଘଟଣା: ପଶ୍ଚିମବଙ୍ଗରୁ ଗିରଫ ଏଲ୍‌ଆଇସି ଏଜେଣ୍ଟ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଚଞ୍ଚକତା କରି ଲକ୍ଷା ଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ସମସ୍ତଙ୍କୁ ଘାରିଛି । ତେଣୁ କାମ ଧନ୍ଦା ନକରି ବିନା ପରିଶ୍ରମରେ କିଭଳି ଟଙ୍କା ରୋଜଗାର କରିହେବ ଏଥିପାଇଁ ଯୁବପୀଢ଼ିଙ୍କ ମଧ୍ୟରେ ଏକ ରକମର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଯାହାର ପରିଣାମ ସମାଜରେ ଠକେଇ, ଲୁଟ, ସାଇବର କ୍ରାଇମ ଭଳି ଅପରାଧ ବଢ଼ିବାରେ ଲାଗିଛି । ସୂଚନା ଅନୁଯାୟୀ, କଟକ ଅର୍ବାନ ବ୍ୟାଙ୍କର ନୂଆପାଟଣା ଓ ଖ୍ରୀଷ୍ଟ କଲେଜ ଶାଖାରେ ହୋଇଥିବା ୩ କୋଟି ୮୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ଅର୍ଥନୈତିକ ଅପରାଧିକ ଶାଖ (ଇଓଡବ୍ଲ୍ୟୁ) ପଶ୍ଚିମବଙ୍ଗ ମେଦିନୀପୁରର କାଜି ମହଲ ଅଞ୍ଚଳରୁ ଫେରାର ଥିବା ଏଲଆଇସି ଏଜେଣ୍ଟ ସଫରରାଜ୍ ଜାଭେଦକୁ ଗିରଫ କରିଛି । ଗିରଫ ଜାଭେଦ୍ ଜାଲ୍ ଏଲଆଇସି ବଣ୍ଡ୍ ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି । ଜାଭେଦକୁ ମିଶାଇ ଏଯାଏ ଅର୍ବାନ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ୫ ଜଣ ଗିରଫ ହେଲେଣି । ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କର ୨ଜଣ କର୍ମଚାରୀ ଓ ବଣ୍ଡ୍ ଜାଲିଆତି କରିଥିବା ଜଣଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ ଯେ କଟକ ସୂତାହାଟ ଅଞ୍ଚଳର ଏଲ୍‌?ଆଇସି ଏଜେଣ୍ଟ ମୁସ୍ତାକିମ୍ ରାଜା, ସଫରରାଜ୍ ଜାଭେଦ୍ ଓ ଇଫତେଖାର ଖାନ ଜାଲ ଏଲଆଇସି ବଣ୍ଡ ଦେଇ ୩.୮୨ କୋଟି ଟଙ୍କା ଋଣ ଆକାରରେ ହଡ଼ପ କରିଥିଲେ । ଏହି ଅର୍ଥ ହଡପ ଘଟଣାରେ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ସେକ୍ ଅବଦୁଲ ଓ ପ୍ରକାଶ ଚନ୍ଦ୍ର ମହାପାତ୍ର କ୍ଷମତାର ଅପବ୍ୟବହାର କରି ସେମାନଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବ୍ୟାଙ୍କ ପକ୍ଷରୁ ଖୋଳତାଡ କରାଯିବା ସହିତ ସିଇଓ ପ୍ରିୟବ୍ରତ ପଣ୍ଡା ବିଭାଗୀୟ ତଦନ୍ତ କରି ଏହି ପାଞ୍ଚ ଜଣଙ୍କ ନାଁରେ ଇଓଡବ୍ଲୁ ଏସପି, ଭୁବନେଶ୍ୱରଙ୍କ ନିକଟରେ ମାର୍ଚ୍ଚ ୧୬ରେ ଏତଲା ଦେଇଥିଲେ । ତା ସହିତ ରିଜର୍ଭ ବ୍ୟାଙ୍କ୍ ଓ ରେଜିଷ୍ଟ୍ରାର ସମବାୟ ସମିତିଙ୍କୁ ମଧ୍ୟ ଋଣ ଜାଲିଆତି ଓ ଠକେଇ ସଂପର୍କରେ ସୂଚିତ କରିଥିଲେ । କ୍ରାଇମ୍ବ୍ରାଞ୍ଚଏଡିଜି ଅରୁଣ ବୋଥ୍ରା, ଆଇଜି ଜୟ ନାରାୟଣ ପଙ୍କଜ ଘଟଣାରେ ହସ୍ତକ୍ଷେପ କରି ଏସପି ଦିଲୀପ ତ୍ରିପାଠୀ ଓ ଅତିରିକ୍ତ ଏସପି ଇତି ଦାସଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏପ୍ରିଲ ୨୩ରେ ଇଓଡବ୍ଲୁ ବ୍ୟାଙ୍କ କର୍ମଚାରୀ ସେକ ଅବଦୁଲ, ପ୍ରକାଶ ଚନ୍ଦ୍ର ମହାପାତ୍ର ଓ ଏଲ୍‌ଆଇସି ଏଜେଣ୍ଟ ମୁସ୍ତାକିମ୍ ରାଜାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଫେରାର ଥିବା ଇଫତେକାର ଖାନଙ୍କୁ ସପ୍ତାହେ ତଳେ ଗିରଫ କରାଯାଇଥିବା ବେଳେ ସଫରରାଜ୍ ଜାଭେଦକୁ ଅତିରିକ୍ତ ଏସପି ଇତି ଦାସଙ୍କ ନେତୃତ୍ୱରେ ଟିମ୍ ପଶ୍ଚିମବଙ୍ଗରୁ ଗିରଫ କରିଛି । ବ୍ୟାଙ୍କ ପରିଚାଳନା ପରିଷଦ ତରଫରୁ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର ଇଚ୍ଛାକୃତ ଋଣ ଖିଲାପୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ