ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ

ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ

ଅବ୍ୟବସ୍ଥାରେ ଶ୍ମଶାନ ଗୃହ ନେଇ କୁହୁଳୁଛି ଅସନ୍ତୋଷ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ଅନ୍ତର୍ଗତ କୟଳପଡା ପଞ୍ଚାୟତରେ କୟଳପଡ଼ା ଗ୍ରାମରେ ରହିଥିବା ଶ୍ମଶାନ ଗୃହଟି ଏବେ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଥିବାନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏହି ଅଞ୍ଚଳରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ ଅନ୍ତିମ ସଂସ୍କାର ନିମନ୍ତେ ଉକ୍ତ ଶ୍ମଶାନ ଉପରେ ନିର୍ଭର କରନ୍ତି । ମାତ୍ର ଏହି ଶ୍ମଶାନଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିବା ଯୋଗୁଁ ଶବ ସତ୍କାର ସମୟରେ ଲୋକେ ନାହିଁ ନଥିବା ହଇରାଣ ହୋଇଥାନ୍ତି । ଏ ନେଇ ଜନସାଧାରଣ ବିଭିନ୍ନ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲୋକପ୍ରତିନିଧିଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏହି ଶ୍ମଶାନରେ ଶବଦାହ ନିମନ୍ତେ ଏକ ଗୃହଟି ନିର୍ମାଣ ହୋଇଥିଲେ ମଧ୍ୟ ସେ ଯାଏ ରାସ୍ତା ନାହିଁ, ଶ୍ମଶାନରେ ଆଲୋକୀକରଣ ବ୍ୟବସ୍ଥା ହୋଇନାହିଁ, ପାଚେରୀ ମଧ୍ୟ ନାହିଁ ଏମିତି ନାହିଁ ନାହିଁରେ ପଡ଼ି ରହିଛି କୟଳପଡ଼ା ଗ୍ରାମ୍ୟ ଶ୍ମଶାନ । ପୁନଶ୍ଚ ଏଠାରେ ବଣ ବୁଦା ସହ ଅନାବନା ଗଛରେ ଢାଙ୍କି ହେଇଯାଉଛି ଶ୍ମଶାନର ଦାହ ଗୃହ । ଶବ ଦାହ କରିବାକୁ ଆସୁଥିବା ଲୋବେ ବସିବା ପାଇଁ ପ୍ରତୀକ୍ଷା ଗୃହ ଟିଏ ମଧ୍ୟ ନାହିଁ । ଫଳରେ ବର୍ଷା ଦିନେ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନୁରୂପ ଭାବେ ଉକ୍ତ ପଞ୍ଚାୟତର ଉଭୟ କୟଳପଡ଼ା ଓ ଶିମିଳୀହାଣ୍ଡ ଗ୍ରାମରେ ମଧ୍ୟ ବ୍ରାହ୍ମଣ ସମାଜ ବା ବ୍ରାହ୍ମଣ ପରିବାର ବସବାସ କରୁଛନ୍ତି । ତେଣୁ କୟଳପଡ଼ା ଓ ଶିମିଳିହାଣ୍ଡ ଗ୍ରାମର ଉଭୟ ବ୍ରାହ୍ମଣମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ମଶାନର ସୁବିଧା ନଥିବାର ବ୍ରାହ୍ମଣ ସମାଜ ପକ୍ଷରୁ ଅଭିଯୋଗ ହେଉଛି । ବିଶେଷ କରି ଶିମିଲିହାଣ୍ଡ ଗ୍ରାମରେ ବସବାସ କରୁଥିବା ବ୍ରାହ୍ମଣ ପରିବାରଙ୍କ ନିମନ୍ତେ ଶ୍ମଶାନ ନଥିବା ଯୋଗୁଁ ବାଧ୍ୟହୋଇ ଏଣେତେଣେ ଶବ ସତ୍କାର କରୁଛନ୍ତି । ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହି ସମସ୍ୟାର ସମାଧାନ ନେଇ ଶିମିଳିହାଣ୍ଡ ବ୍ରାହ୍ମଣ ସମାଜ ପକ୍ଷରୁସରପଞ୍ଚ ଶୈଳବାଳା ନାୟକ, ପୂର୍ବତନ ସରପଞ୍ଚ ରଶ୍ମି ରଂଜନ ପ୍ରଧାନ, ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି ସମାଧାନ ହେଲା ନାହିଁ । ତେଣୁ ତୁରନ୍ତ ଏଠାରେ ବ୍ରାହ୍ମଣ ମାନଙ୍କ ପାଇଁ ସ୍ୱତନ୍ତ୍ର ଶ୍ମଶାନ ଗୃହ ସହ ସମସ୍ତ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ