ଅବହେଳିତ ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ
ଟିପିସିଓଡିଏଲର ବିଚିତ୍ର ନୀତି: ଗୋଟିଏ ମାସର ୧୩ ୟୁନିଟ ବିଦ୍ୟୁତକୁ ୬୨ହଜାର ଟଙ୍କାର ବିଲ୍
ଜଗତପୁର (ଏନ୍.ଏମ୍.): ଜଗତପୁରସ୍ଥିତ ବଟେଶ୍ୱର ସରକାରୀ ପ୍ରାଥମିକ ଦିଦ୍ୟାଳୟରେ (ଟିପିସିଓଡିଏଲ) ବିଦ୍ୟୁତ ବିଭାଗର ମାସକର ମାତ୍ର ୧୩ ୟୁନିଟକୁ ୬୧ ହଜାର ୮୦୫ଟଙ୍କା ବିଲ୍ ମିଳିଛି । ଆଉ ଏପଟେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜଗତପୁର ବଟେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ଅନେକ ସମସ୍ୟା ଦୃଷ୍ଟି ଗୋଚର ହେଉଛି । ଅସହ୍ୟ ତାତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ସକାଳୁଆ କରିଛନ୍ତି । ଟାଣ ଖରା ଯୋଗୁଁ ପାନୀୟ ଜଳ ପ୍ରତି ପ୍ରଶାସନ ଯେଉଁ ପ୍ରାଥମିକତା ଦେବା କଥା ତାହା ଏହି ବିଦ୍ୟାଳୟରେ ଏଯାବତ ସମ୍ଭବ ହୋଇ ପାରିନାହିଁ । ଯାହା ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଣି ପିଇବା ପାଇଁ ଅନ୍ୟସ୍ଥାନରୁ ପାନୀୟ ଜଳ ଆଣି ରଖାଯାଉଛି । ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଛି । ସରକାର ବିଭିନ୍ନ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରିଆସୁଥିବାବେଳେ ଏହି ବିଦ୍ୟାଳୟ ଅନେକ ଶ୍ରେଣୀ ଗୃହ ଅବହେଳିତ ହୋଇ ପଡି ରହିଛି । ସେଥିମଧ୍ୟରେ ଏବେ ଗଛଲତା ବୃଦ୍ଧି ପାଇ କୁତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରିଛି । ଏପରିକି ଏହି ଭଙ୍ଗାଗୃହ ମଧ୍ୟରେ ଅନେକ ସମୟରେ ସରୀଶୃପ ବୁଲୁଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟର ପାଚେରୀଟି ଆବଶ୍ୟକତାଠାରୁ ଛୋଟ ହୋଇଥିବାରୁ ବିଦ୍ୟାଳୟ ବନ୍ଦ ହେବାପରେ ଅବାଧଭାବେ ସ୍ଥାନୀୟ ପିଲାମାନେ ପ୍ରବେଶ କରୁଛନ୍ତି । ଏଥିସହ ବିଦ୍ୟାଳୟରେ ଲାଗିଥିବା ପାଣିଟ୍ୟାପକୁ ଭାଙ୍ଗିଦେଇଥିବାନେଇ ଅଭିଯୋଗ ହୋଇଛି । ଏଣୁ ବିଦ୍ୟାଳୟର ସୁରକ୍ଷା ନିମନ୍ତେ ପ୍ରାଚେରୀର ଉଚ୍ଚତାକୁ ବୃଦ୍ଧି କରାଯିବା ଜରୁରୀ ହୋଇପଡୁଛି ବୋଲି ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗୁରୁଙ୍କ ଠାରୁ ସୁଚନା ମିଳିଛି । ୧୯୯୬ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟଟି ୨୦୦୪ ମସିହାରୁ ସରକାରୀ ବିଦ୍ୟାଳୟ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ବିଦ୍ୟାଳୟଟି ରହିଆସିଛି । ଯାହା ବିଦ୍ୟାଳୟର ପ୍ରବେଶ ଦ୍ୱାରର ଲେଖାଥିବା ନାମକରଣରୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ଏହି ବିଦ୍ୟାଳୟର ୫ଗୋଟି ଶ୍ରେଣୀରେ ୩ ଜଣ ଶିକ୍ଷକଙ୍କ ଦ୍ୱାରା ୭୩ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି । ବିଦ୍ୟାଳୟର ପ୍ରମୁଖ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ବିଦ୍ୟୁତ୍ ବିଭାଗର ମାତ୍ରାଧିକ ବିଲ୍ ଏବେ ସମସ୍ୟାକୁ ଗୁଡିକୁ ଦୁଇଗୁଣିତ କରିଛି । ଏଥିପାଇଁ ଶିକ୍ଷକଙ୍କୁ ଅଯଥାରେ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଛି । ଯେଉଁ ସମୟରେ ଶିକ୍ଷକ ପାଠପଢାଇବା କଥା ବିଦ୍ୟୁତ ବିଭାଗର ଅପାରଗତା ପାଇଁ ତାଙ୍କର ସମୟ ନଷ୍ଟ ହେଉଛି । ଯାହା ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ କୁପ୍ରଭାବ ପଡୁଛି । ପୂର୍ବରୁ (ଟିପିସିଓଡିଏଲ) ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଶୋଷଣ କରିଆସୁଥିବା ପ୍ରମାଣ ରହିଥିବା ବେଳେ ଏବେ ବିଦ୍ୟାଳୟଭଳି ଶିକ୍ଷାନୁଷ୍ଠାନକୁ ବାଦ ଦେବାକୁ ମଧ୍ୟ ପଛାଇଲା ନାହିଁ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ତ୍ୱରିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ ଦାବି କରାଯାଉଛି ।