ଅବଧି ପୂରଣ ପରେ ବି ଟଙ୍କା ମିଳୁନଥିବା ଯୋଗୁଁ ସାହାରା ଇଣ୍ଡିଆ ଚୌଦ୍ୱାର ଶାଖାରେ ଆନ୍ଦୋଳନ କଲେ ଜମାକାରୀ
ଚୌଦ୍ୱାର(ଏନ୍.ଏମ୍.): ସାହାରା ଇଣ୍ଡିଆରେ ଜମା ରଖି ବେସାହାରା ହୋଇପଡ଼ିଛନ୍ତି ଜମାକାରୀ । ବର୍ଷ ବର୍ଷ ଧରି ଜମା ଟଙ୍କାର ଅବଧି ପୂରଣ ହୋଇଯାଇଥିଲେ ମଧ୍ୟ ମିଳୁନି ସେମାନଙ୍କ ପ୍ରାପ୍ୟ । ବାରମ୍ବାର ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଯାଉଥିଲେ ବି ଜମାଟଙ୍କା ଫେରି ପାଉନଥିବାରୁ ସାହାରା ଜମାକର୍ତ୍ତାଙ୍କ ଅବସ୍ଥା ବେହାଲ ହୋଇ ପଡ଼ୁଛି । ତେବେ ଏ ନେଇ ସାହାରା କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି । ତେଣୁ ଜମାକର୍ତ୍ତାମାନେ ବାରମ୍ବାର ଗୋଟିଏ ପ୍ରକାର ପ୍ରତିଶ୍ରୁତି ଶୁଣି ଶୁଣି ବଧିର ହୋଇ ଯାଇଥିବା ଭଳି ଅଭିଯୋଗ ହେଉଛି ।
ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ଟାଉନ ହଲ ସ୍ଥିତ ସାହାରା ଇଣ୍ଡିଆ ପରିବାରର ଚୌଦ୍ୱାର ବ୍ରାଞ୍ଚ କାର୍ଯ୍ୟାଳୟରେ ଜମାକାରୀମାନେ ବିକ୍ଷୋଭ କରିବାର ଦେଖିବାକୁ ମିଳିଛି । ଜମାକାରୀ ମାନେ ନିଜ ନିଜର ବକେୟା ଅର୍ଥ ରାଶି ପ୍ରଦାନରୁ ବଞ୍ଚିତ ହେବାରୁ ଏଜେଣ୍ଟ ଓ ଜମାକାରୀ ଉଭୟ ଆସି ସ୍ଥାନୀୟ କର୍ଯ୍ୟାଳୟ ଭିତରେ ପଶି ନିଜର ପ୍ରପ୍ୟ ପାଇବା ପାଇଁ ଭିକ୍ଷୋଭ କରିଥିଲେ । ମ୍ୟାଚୁରିଟି ହୋଇ ଯାଇଥିବାରୁ ନିଜ ନିଜର ପ୍ରାପ୍ୟ ନମିଳିବାରୁ ଏବ ବାରମ୍ବାର ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଦିନ ଗଡାଉଥିବାରୁ ଲୋକ ମାନେ ଉତ୍ୟକ୍ତ ହୋଇ ସ୍ଥାନୀୟ ଗାନ୍ଧୀଛକସ୍ଥିତ ସାହାରା ଅଫିସରେ ପଶି ନିଜର ପ୍ରାପ୍ୟ ପାଇବା ପାଇ ଦାବି କରିଥିଲେ । ଶେଷରେ ସାହାରା ଇଣ୍ଡିଆ ପରିବାରର ଚୌଦ୍ୱାରର ଶାଖା ପରିଚାଳକ ଆସି ବୁଝାବୁଝି କରିବାସହ ୩ ମାସ ମଧ୍ୟରେ ସମସ୍ତଙ୍କ ଅର୍ଥ ରାଶି ପ୍ରଦାନ କରାଯିର ପ୍ରତିଶ୍ରୁତି ଦେବା ପରେ ସମସ୍ତ ଏଗେଣ୍ଟ ଓ ଜମାକାରୀ ଆନ୍ଦୋଳନରୁ ଉଠିଥିଲେ । ଚୌଦ୍ୱାର ଅଞ୍ଚଳରେ ପାଖାପାଖି ୨୨ହଜାର ଜମାକାରୀଙ୍କ ୨୩କୋଟି ଟଙ୍କା ସାହାରରେ ଡିପୋଜିଟ ହେଇଛି । ତେବେ ଏଥିରେ ପ୍ରାୟ ୩୦୦ ଏଜେଣ୍ଟ କାମ କରୁଥିବା ବେଳେ ସାହାରାର ଏଭଳି ଅବସ୍ଥା ଯୋଗୁଁ ବହୁ ଏଜେଣ୍ଟ କାମ ଛାଡ଼ି ଦେଇଥିବା ଜଣାପଡ଼ିଛି । ତେବେ ସୂଚନା ମୁତାବକ ୧୨୦୦ ଜମାକାରୀଙ୍କୁ ସେମାନଙ୍କ ମ୍ୟାଚୁରିଟି ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଶାଖା ପରିଚାଳନ କହିଛନ୍ତି ।