ଅପହଞ୍ଚରେ ବାବା ଧବଳେଶ୍ୱର: ଧୋଇଗଲା ଅସ୍ଥାୟୀ ରାସ୍ତା, ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ
#ଆଠଗଡ଼(ଏନ୍.ଏମ୍.): ଓଡ଼ିଶାର ଅନନ୍ୟ ଶୈବ ପୀଠ କଟକ ଜିଲ୍ଲାର ବାବା ଧବଳେଶ୍ୱରଙ୍କ ପୀଠ ଏବେ ଅପହଞ୍ଚ ହୋଇ ପଡ଼ିଛି । ବାବାଙ୍କ ପୀଠକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତାଟି ନଦୀପାଣିର ସ୍ରୋତରେ ଭାସି ଯାଇଥିବା ଯୋଗୁଁ ପୀଠକୁ କେହି ଯିବା ସମ୍ଭବପର ହୋଇ ପାରୁନାହିଁ । ଫଳରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ପୂର୍ବରୁ ମହାନଦୀରେ ଡଙ୍ଗା ଦ୍ୱାରା ବାବାଙ୍କ ପୀଠକୁ ଶ୍ରଦ୍ଧାଳୁମାନେ ଯାଉଥିବାବେଳେ ବାରମ୍ବାର ଦୁର୍ଘଟଣାକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ଝୁଲା ପୋଲ ନିର୍ମାଣ ହୋଇଥିଲା । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ତାହାକୁ ଅସୁରକ୍ଷିତ ଘୋଷଣା କରାଯାଇ ଥିଲେ ମଧ୍ୟ ନୂତନ ସ୍ଥାୟୀ ରାସ୍ତା ନିର୍ମାଣ କରାଗଲା ନାହିଁ । ତେବେ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ, ଦାବି ଓ ଆନ୍ଦୋଳନ ଫଳରେ ପ୍ରଶାସନ ପକ୍ଷରୁ ବାବାଙ୍କ ପୀଠକୁ ଏକ ଭସା ପୋଲଯୁକ୍ତ ଅସ୍ଥାୟୀ ରାସ୍ତା କରାଯାଇଥିଲା । ସେଥିରେ ଶ୍ରଦ୍ଧାଳୁମାନେ ବାବାଙ୍କ ପୀଠକୁ ଯାତାୟତ କରୁଥିଲେ ମାତ୍ର ଗତକାଲି ଏହି ଅସ୍ଥାୟୀ ରାସ୍ତା ଧୋଇଯାଇଥିବାରୁ ବାବାଙ୍କ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ିଛି । ଅନ୍ୟପକ୍ଷରେ ମହାନଦୀରେ ଅଧିକ ପାଣି ଆସିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି । ତେବେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ୭ ମାସରୁ ଅଧିକ ହେଲାଣି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଆଉ ସ୍ୱାଭାବିକ ଗମନାଗମନ ବାଟ ବନ୍ଦ । କିନ୍ତୁ ଏ କ୍ଷେତ୍ରରେ ପ୍ରଶାସନିକ ଶିଥିଳତା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି । ଝୁଲା ପୋଲକୁ ବନ୍ଦ କରି ଦିଆଯାଇଛି । ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ । ଏଭଳି ସ୍ଥିତିରେ ମହାନଦୀରେ ନିର୍ମିତ ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ସୁଯୋଗ ରହିଥିଲା । କିନ୍ତୁ ଆଗକୁ ଶ୍ରାବଣ ମାସ ଓ ବର୍ଷା ଋତୁ ଆସୁଥିବା ବେଳେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ, ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ଆଶଙ୍କା ବୃଦ୍ଧି ପାଇଥିଲା । ଗୋଟିଏ ପଟେ ଝୁଲା ପୋଲ ମରାମତି ହେଉନି କି ପୀଠକୁ ସଂଯୋଗ କରିବା ପାଇଁ ନିର୍ମାଣ ଚାଲିଥିବା ପୋଲର କାମ ବି ସରୁନି । ଅନ୍ୟପକ୍ଷରେ ଗଲା ମାର୍ଚ୍ଚ ମାସ ସୁଦ୍ଧା କଂକ୍ରିଟ ପୋଲ କାମ ସରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବାସ୍ତବରେ ଏବେ ବି ପୋଲ କାମ ସରିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତେବେ ଗତକାଲି ମହାନଦୀରେ ଅଧିକ ପାଣି ଆସିବା ଦ୍ୱାରା ଉକ୍ତ ଅସ୍ଥାୟୀ ରାସ୍ତା ଭାସିଯିବା ଯୋଗୁଁ ଆଜିଠାରୁ ଦୂର ଦୁରାନ୍ତ ରୁ ଧରି ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ମାନସିକ ଧାରୀ ବାବାଙ୍କ ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଉଛନ୍ତି । ଅନ୍ୟପଟେ ବାବାଙ୍କ ନୀତି କାନ୍ତି ପାଇଁ ସେବାୟତ ପୂଜକ ମାନଙ୍କ ପାଇଁ ଏକମାତ୍ର ବିକଳ୍ପ ଯାତାୟତ ରାସ୍ତା ଭାବେ ରହିଛି ସେହି ବିପଦ ସଂକୁଳ ଅବସ୍ଥାରେ ପଡିରହିଥିବା ସେହି ଝୁଲା ପୋଲ ଅପର ପଟେ ଝୁଲା ପୋଲଟି ଅସୁରକ୍ଷିତ ରହିଥିବା ପ୍ରଶାସନିକସ୍ତରରେ କିଛି ମାସ ତଳୁ ଘୋଷଣା ହେବା ପରେ ଭକ୍ତ ଓ ଶ୍ରଦ୍ଧାଙ୍କ ଆଗମନକୁ ନେଇ ଝୁଲା ପୋଲ ନିକଟରେ ଏକ ନୂତନ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ହୋଇଥିଲେ ମଧ୍ୟ ତାହା ଅଧ୍ୟାବଧି ଶେଷ ହୋଇ ପାରିଲା ନାହିଁ । ଯାହାକୁ ନେଇ ଅଞ୍ଚଳରେ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନିକ ଅପାରଗତା ଯୋଗୁଁ ବାବାଙ୍କ ଦର୍ଶନ ସମ୍ଭବ ହେଲା ନାହିଁ ବୋଲି ଚର୍ଚ୍ଚା ହେଉଛି ।