ଅନ୍ଦରପୁର ସରକାରୀ ଗୃହ ବେଆଇନ ବିକ୍ରି ଘଟଣା: ୧୪ଲକ୍ଷ ୯୦ହଜାର ଟଙ୍କା ଜବତ ଜଣେ ଗିରଫ
କଟକ (ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୫୩ ନମ୍ବର ୱାର୍ଡ଼ରେ ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା ସହରରେ ଚର୍ଚ୍ଚା ହୋଇଥିବାବେଳେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଏହି ଘଟଣାକୁ ନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ଫଳରେ ପୁଲିସ ଅଭିଯୁକ୍ତକୁ ଗରିଫ କରିବା ସହ ତା’ ଠାରୁ ୧୪ଲକ୍ଷ ୯୦ହଜାର ଟଙ୍କା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି । ତେବେ ଏ ନେଇ ମଧୁପାଟଣା ଓ ଜଗତପୁର ଥାନାରେ ମଧ୍ୟ ପୃଥକପୃଥକ ମାମଲା ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଅନ୍ଦରପୁର ଠାରେ ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦେବା ପାଇଁ ସମନ୍ୱିତ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯାଇଥିଲା । ୪ଟି ଫ୍ଲାଟରେ ୧୯୨ଟି ବାସଗୃହ ନିର୍ମାଣ ହୋଇଥିବାବେଳେ ସେଥିମଧ୍ୟରୁ ୬୯ଜଣ ହିତାଧିକାରୀଙ୍କୁ ଉକ୍ତ ଗୃହ ଆବଣ୍ଟନ ହୋଇଥିଲା । ତେବେ ଏ ନେଇ ନ୍ୟାୟାଳୟରେ ମାମଲା ହେବା ପରେ ନ୍ୟାୟାଳୟ ଗୃହ ଆବଣ୍ଟନ ଉପରେ ରହିତାଦେଶ ଲଗାଇଥିଲେ । ଫଳରେ ସିଏମସି ଅନ୍ୟ ହିତାଧିକାରୀଙ୍କୁ ଆଉ ଗୃହ ଆବଣ୍ଟନ କରିପାରିନଥିଲା । ମାତ୍ର ଏହାର ସୁଯୋଗ ନେଇ ସ୍ଥାନୀୟ ମଧୁପାଟଣା ଥାନା ଅନ୍ତର୍ଗତ ଅନ୍ଦରପୁର ଅଞ୍ଚଳର ରାଜା ଓରଫ ନିମନ କରଣ(୫୧) ଘର ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଆଶାୟୀଙ୍କ ଠାରୁ ଘର ପାଇଁ ଟଙ୍କା ନେଇଥିଲେ । ଏହି କ୍ରମରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଖାଲଗାଁର ସମୀର ପାଲଙ୍କୁ ମଧ୍ୟ ରାଜା ଘର ଯୋଗାଇ ଦେବାକୁ କହି ବିଭିନ୍ନ ତାରିଖରେ ତାଙ୍କ ଠାରୁ ୨ଲକ୍ଷ ୩୦ହଜାର ଟଙ୍କା ନେଇଥିଲା । ତେବେ ଟଙ୍କା ନେବାବେଳେ ରାଜା ଜଣେ ନୋଟାରୀଙ୍କ ଆଗରେ ଏକ ଚୁକ୍ତି କରିଥିଲେ ଏବଂ ଏହାର ଫଟୋକପି ମଧ୍ୟ ଦେଇଥିଲା । ହେଲେ କାଗଜଖଣ୍ଡକ ଦେଇ ରାଜା ଚୁପ ବସିଥିବାବେଳେ ସମୀର ଘରପାଇଁ ତାଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ । ତେବେ ସମୀର ଏ ସଂକ୍ରାନ୍ତରେ ମଧୁପାଟଣା ଥାନାରେ ଅଭିଯୋଗ କରିବାରେ ପୁଲିସ କେସ ନମ୍ବର ୩୩ ତା ୩.୨.୨୦୨୨ରେ ଏକ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ୪୨୦/୪୦୬/୪୬୭/୪୬୮ ଦଫାରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ରାଜା ପ୍ରାୟ ୪୦ ଜଣଙ୍କଠାରୁ ଟଙ୍କା ନେଇ ଘର ହସ୍ତାନ୍ତର କରିଥିବା ଜଣାପଡ଼ିଥିଲା । ପୁନଶ୍ଚ ରାଜା ବହୁ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ବେଆଇନ ଭାବେ ସରକାରଙ୍କ ପକ୍ଷରୁ ନିର୍ମାଣ ଘରକୁ ବିଭିନ୍ନ ଲୋକଙ୍କୁ ଦେଇଥିଲା । ତେବେ ଅଭିଯୁକ୍ତ ବିରୋଧରେ ଅନେକ ପ୍ରମାଣ ମିଳିବା ପରେ ତାକୁ ଆଜି କୋର୍ଟ ଚାଲଣ କରାଯାଇଛି । ତେବେ ରାଜା ବିରୋଧରେ ମଧୁପାଟଣା ଥାନାରେ କେସ ନମ୍ବର ୧୭୦ ତା ୨୯.୮.୨୦୦୯ରେ ୩୪୧/୨୯୪/୫୦୬/୫୦୭/୧୮୬ ଦଫା ଲାଗିଥିବାବେଳେ ୨୦୦୫ ମସିହାରେ ଉକ୍ତ ଥାନାରେ କେସ ନମ୍ବର ୧ ତା ୧.୧.୨୦୦୫ରେ ୩୭୯/୩୪ ଦଫା, ଏକ ମାମଲା ହୋଇଥିବାବେଳେ ଏହି ଥାନାରେ କେସ ନମ୍ବର ୩୫ ତା ୪.୨.୨୦୨୨ରେ ଓ ଜଗତପୁର ଥାନାରେ ମଧ୍ୟ କେସ ନମ୍ବର ୬୧ତା ୪.୨.୨୦୨୨ରେ ଭାରତୀୟ ପିଙ୍ଗଳ କୋର୍ଡ଼ ୪୨୦/୪୦୬/୪୬୭/୪୬୮ଦଫାରେ ଏକ ମାମଲା ରହିଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ।