ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ

ଅଢେଇ ମାସ ପରେ ଆଜିଠୁ ବସ୍ ଚଳାଚଳ ଆରମ୍ଭ: କଟକଣାରେ ଯାଇପାରିବେ ଯାତ୍ରୀ


କଟକ(ଏନ୍‌.ଏମ୍‌.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସପାଇବା ପରେ ଆଜି ଠାରୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ କଟକଣା ମଧ୍ୟରେ ଏହି ବସଚଳାଚଳ କରିବା ସହ ଯାତ୍ରୀମାନେ ଯାଇ ପାରିବେ । ଦୀର୍ଘ ଅଢ଼େଇ ମାସର ବିରତି ପରେ ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଆରମ୍ଭ ହୋଇଛି । ତେବେ ଏ ନେଇ ରହିଥିବା ଅନେକ ସମସ୍ୟାର ସମାଧାନ ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପାଇବା ପରେ ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲପର ସମସ୍ତେ ପ୍ରସ୍ତୁତ ହୋଇ ଷ୍ଟାଣ୍ଡରେ ବସଗୁଡ଼ିକୁ ରଖିଛନ୍ତି । କଟକଣା ମଧ୍ୟରେ ଯାତ୍ରୀମାନଙ୍କୁ ବସରେ ବସାଇ ମୋଟର କର୍ମଚାରୀମାନେ ଗନ୍ତବ୍ୟ ସ୍ଥାନକୁ ବାହାରିଛନ୍ତି । ଫଳରେ ଦୀର୍ଘ ମାସ ପରେ ଆଜି କଟକର ବାଦାମବାଡ଼ି ବସଷ୍ଟାଣ୍ଡ ଚଳଚଞ୍ଚଳ ହୋଇ ଉଠିଛି । ବସଚଳାଚଳର ଆଜି ପ୍ରଥମ ଦିନ ହୋଇଥିବାରୁ ସମସ୍ତ ବସ ଷ୍ଟାଣ୍ଡକୁ ଆସିନଥିଲେ ମଧ୍ୟ କିଛିକିଛି ବସ ଯାତ୍ରୀମାନଙ୍କୁ ନେଇ ବିଭିନ୍ନସ୍ଥାନକୁ ଯାତ୍ରା ଆରମ୍ଭ କରିଛି । ଏ ନେଇ ବସ ମାଲିକଙ୍କ ଠାରୁ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ କାର୍ଯ୍ୟରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି ।
କରୋନା ସଂକ୍ରମଣ ଦୃଷ୍ଟିରୁ ଲକ୍‌ଡାଉନରେ ବସ୍ ଚଳାଚଳ ବନ୍ଦ ହୋଇଥିଲା । ଯାହାଦ୍ୱାରା ବସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ମାଲିକଙ୍କ ପର୍ଯ୍ୟନ୍ତ ରୋଜଗାର ହରାଇଥିଲେ । ଏବେ କିନ୍ତୁ ବସ୍ ଚାଲିବା ଆରମ୍ଭ ହେବା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ କର୍ମଚାରୀମାନେ ଆଶା ବାନ୍ଧିଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ବସରେ ଯେତିକି ସିଟ୍‌, କେବଳ ସେତିକି ଯାତ୍ରୀ ହିଁ ଯାଇ ପାରିବେ । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସଗୁଡ଼ିକୁ ସାନିଟାଇଜ୍ କରାଯାଇଥିବାବେଳେ ଯାତ୍ରୀମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି । ପୁନଶ୍ଚ ଆଗକୁ କରୋନାର ତୃତୀୟ ଲହର ଆଶଙ୍କା ରହିଥିବାରୁ ବସରେ ବ୍ୟବସାୟ କ୍ଷତିରେ ଚାଲିବ ବୋଲି ବସମାଲିକମାନେ ପ୍ରକାଶ କରିଛନ୍ତି । ତଥାପି ଦୀର୍ଘ ଦିନ ଧରି ବସଗୁଡ଼ିକ ଚଳାଚଳ ନହେବା ଦ୍ୱାରା କର୍ମଚାରୀମାନେ ରୋଜଗାର ହରାଇଥିଲେ । ଏ ସବୁକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା କରିଥିଲା । ଆସନ୍ତା ଅଗଷ୍ଟ ଓ ସେପ୍େଟମ୍ବର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆଜି ଠାରୁ ବସଚଳାଚଳ ଆରମ୍ଭ ହୋଇଛି । ସେହିଭଳି ୧୬ଟି ରୁଟରେ ମୋ ବସ୍ ମଧ୍ୟ ଚାଲୁଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିବ । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୋ ବସ ଚାଲୁ ରହିବ । କୌଣସି ଯାତ୍ରୀଙ୍କୁ ଠିଆହୋଇ ଯିବାକୁ ଅନୁମତି ଦିଆଯିବ ନାହିଁ । ଏଥି ସହିତ ସପ୍ତାହାନ୍ତ ଶନିବାର ଓ ରବିବାର ଦିନ ମୋ ବସ୍ ସେବା ବନ୍ଦ ରହିବ । କିନ୍ତୁ ଉକ୍ତ ୨ ଦିନ ଭୁବନେଶ୍ୱର ଏୟାରପୋର୍ଟ ଓ ରେଳ ଷ୍ଟେସନରୁ ମୋ ବସ୍ ସେବା ଚାଲୁ ରହିବବୋଲି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ