ଅଗଷ୍ଟ ୧୬ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର (ଏନ୍.ଏମ୍.): ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଏହି ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଖୋଲିବ । ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ଶ୍ରେଣୀ ଗୃହରେ ପାଠପଢ଼ା ହେବ । ସେହିପରି ହଷ୍ଟେଲ ଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ କୁହାଯାଇଛି । କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ପିଜି କିମ୍ବା ୟୁଜି ଫାଇନାଲ ପରୀକ୍ଷା ଅଫ ଲାଇନ ପରିବର୍ତ୍ତେ ଅନଲାଇନରେ ହେବ । ପିଜି/ୟୁଜି ଫାଇନାଲ୍ ପରୀକ୍ଷା ଅନଲାଇନରେ କରିବା ନିମନ୍ତେ ବିଭାଗ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କରୋନା ଯୋଗୁଁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ ରହିଥିବା ବେଳେ ସମ୍ପ୍ରତି କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ଦୃଷ୍ଟିରୁ ସରକାର ପର୍ଯ୍ୟାୟ କ୍ରମେ ଏଗୁଡ଼ିକୁ ଖୋଲୁଛନ୍ତି । ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବାବେଳେ ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ଖୋଲିବ । ସେହିପରି ଅଗଷ୍ଟ ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରୁ ମଧ୍ୟ ଛାତ୍ରଛାତ୍ରୀ ଆସିବାକୁ ଥିବାରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଥିବା ହଷ୍ଟେଲ ଗୁଡ଼ିକୁ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ ଗାଇଡଲାଇନ୍ ଅନୁଯାୟୀ, ସିଟିଂ ଆରେଞ୍ଜମେଣ୍ଟ କରାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ।