ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ ଓ ଉତ୍କଳୀୟ କୃଷକ ସମାରୋହ ଦିବସ
#କୋଣାର୍କ (ଏନ୍.ଏମ୍.): ବୈଶାଖ ଶୁକ୍ଳ ତୃତୀୟ ତିଥି ପବିତ୍ର ଅକ୍ଷୟ ତୃତୀୟରେ କୃଷକମାନେ ପାରମ୍ପରିକ ରୀତିନୀତିରେ ମୁଠି ଅନୁକୂଳ କରିଛନ୍ତି । ଏହି ପରମ୍ପରାକୁ ଜନମାନସରେ ଉଦ୍ଜୀବିତ କରି ରଖିବା ପାଇଁ ବନାଖଣ୍ଡି ସେବା ସମବାୟ ସମିତି ଓ ନିଖିଳ ଉତ୍କଳ ନୀଳାଚଳ କୃଷକ ସଂଘ ପକ୍ଷରୁ ପୂର୍ବାହ୍ନ ୯ଟାରେ କୋଣାର୍କ ନିକଟସ୍ଥ ବନାଖଣ୍ଡି ଛକ ସ୍ଥିତ ବିହନ ଘରୁ ବିହନ ଅନୁକୂଳ, ମୁଠି ଅନୁକୂଳ, କୃଷକ ସମାରୋହରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଖଣ୍ଡି ସେବା ସମବାୟ ସମିତି ସଭାପତି ଲିଙ୍ଗରାଜ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷକମାନେ ନୂଆ ବେତାରେ ଗଉଣୀ ରଖି କ୍ଷେତକୁ ଆଗମନ କରି ଭୂମି ପୂଜା, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପରେ ବୀଜ ବପନ ଅନୁକୂଳ କରାଯଇଥିଲେ । ଏହାପରେ ପାରମ୍ପରିକ ପଦ୍ଧତିରେ ହଳ ବଳଦ ଏବଂ ପାୱାରଟିଲର ଓ ଟ୍ରାକ୍ଟର ଦ୍ୱରା ହଳ କରାଯାଇ ମୁଠି ଅନୁକୂଳ ଆରମ୍ଭ କରାଯାଇଥିଲା । କୃଷି ଓ କୃଷକମାନଙ୍କ ଅତୀତର ସଂସ୍କୃତି ଓ ପରମ୍ପରାକୁ ମନେ ପକାଇ ଏକ ସଭାର ଆୟୋଜନ କରାଯାଇଥିଲା । ସମାଜ ପାଇଁ କୃଷକମାନଙ୍କ ଅବଦାନ ଅତୁଳନୀୟ ଅବର୍ଣ୍ଣନୀୟ ଏବଂ ଚାଷୀ ଭାଇ ମାନେ ପାରମ୍ପରିକ ରୀତିନୀତିରେ ମା’ ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରି କ୍ଷେତରେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ, ପରିବେଶବିତ ଉମେଶ ଚନ୍ଦ୍ର ସ୍ୱାଇଁ, ବାନର ସେନାର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ, ସମାଜସେବୀ ରବିନ୍ଦ୍ରନାଥ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର କୃଷକମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । କୃଷକମାନଙ୍କର ଏହି ମହାନ ସଂସ୍କୃତି ଓ ପରମ୍ପରାକୁ ଲୋକାଭିମୁଖୀ କରି ରଖିବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।