ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌

ରାଜୀବ ଗାନ୍ଧି‘ଖେଳ ରତ୍ନ’ ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍‌


ଭୁବନେଶ୍ୱର (ଏନ୍‌.ଏମ୍‌.): କ୍ରୀଡ଼ା କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣିଥିବା ଖେଳାଳୀମାନଙ୍କୁ ବିଭିନ୍ନ କ୍ରୀଡ଼ା ପୁରସ୍କାର ନିମନ୍ତେ ରାଜ୍ୟସରକାର ସୁପାରିସ କରିଛନ୍ତି । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ଚଳିତ ବର୍ଷ ଭାରତର ଅଗ୍ରଣୀ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମ ସୁପାରିସ୍ କରାଯାଇଛି । ରାଜ୍ୟ ସରକାର ଆଜି ଦୂତୀଙ୍କ ନାମ ଏହି ବଡ଼ ସମ୍ମାନ ପାଇଁ ସୁପାରିସ୍ କରିଥିବା ଜଣାପଡ଼ିଛି । କେବଳ ଦୂତୀ ନୁହନ୍ତି ବରଂ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରାଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟ ସରକାର ସୁପାରିସ୍ କରିଛନ୍ତି । ଏହାଛଡ଼ା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ୍ କାଳୁ ଚୌଧୁରୀ ଏବଂ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ସୁପାରିସ୍ କରାଯାଇଛି । ଗତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅନ୍ତର୍ଜାତୀୟସ୍ତରରେ ଦୂତୀଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରାଜ୍ୟ ସରକାର ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ୍ କରିଛନ୍ତି । ଦୂତୀ ୨୦୧୮ରେ ଏସିଆନ୍ ଗେମ୍ସରେ ଡବଲ୍ ରୌପ୍ୟ (୧୦୦ ଓ ୨୦୦ ମିଟର) ପଦକ ଜିତିଥିଲେ । ସେ ଏସିଆନ୍ସ ଚାମ୍ପିୟନଶିପରେ ୪ଟି ବ୍ରୋଞ୍ଜ, ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ ଦୁଇଟି ପଦକ (୧୦୦ ମିଟରରେ ରୌପ୍ୟ ଓ ୨୦୦ ମିଟରରେ ବ୍ରୋଞ୍ଜ) ଜିତିଥିଲେ । ଦୂତୀ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ନିକଟରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ଦୂତୀ ୧୦୦ ମିଟରକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜ ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ । କିନ୍ତୁ ଇଣ୍ଟର ଷ୍ଟେଟ୍ ଚାମ୍ପିୟନଶିପରେ ଦୂତୀ ନିରାଶ କରି ଚତୁର୍ଥ ସ୍ଥାନରେ ରହିଥିଲେ। ସେହିପରି ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ ହୋଇଥିବା ବୀରେନ୍ଦ୍ର ଲାକ୍ରାଙ୍କ ଯୋଗଦାନ ଭାରତୀୟ ହକି ପାଇଁ ଉଲ୍ଲେଖନୀୟ ରହିଆସିଛି । ଭାରତୀୟ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ମ୍ୟାଚ୍ ଭାରତ ପକ୍ଷରୁ ଖେଳି ସାରିଛନ୍ତି । ବୀରେନ୍ଦ୍ରଙ୍କ ପ୍ରତିନିଧିତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଥରେ ସ୍ୱର୍ଣ୍ଣ (୨୦୧୪) ଓ ଥରେ ବ୍ରୋଞ୍ଜ (୨୦୧୮) ପଦକ ଜିତିଛି । ବୀରେନ୍ଦ୍ର ମଧ୍ୟ ୨୦୧୩ରେ ଏସିଆ କପ୍ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ସେହିପରି ଏସିଆନ୍ସ ଚାମ୍ପିୟନ୍ସ ଟ୍ରଫି (୨୦୧୬ରେ ସ୍ୱର୍ଣ୍ଣ ଓ ୨୦୧୨ରେ ରୌପ୍ୟ), ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ଏହାବାଦ୍ ବୀରେନ୍ଦ୍ର ହକି ୱାର୍ଲ୍ଡ କପ୍ ଓ ହକି ୱାର୍ଲ୍ଡ ଲିଗରେ ମଧ୍ୟ ଭାରତୀୟ ଦଳର ସଦସ୍ୟ ରହିସାରିଛନ୍ତି । ବୀରେନ୍ଦ୍ର ମଧ୍ୟ ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଖେଳିଥିଲେ । ତେବେ ଏହି ଖେଳାଳୀଙ୍କ ପାଇଁ ଦେଶର ବିଶେଷ ସମ୍ମାନ ନିମନ୍ତେ ରାଜ୍ୟସରକାର ନାମ ସୁପାରିସ କରିଛନ୍ତି ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ