୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର
ନୂଆଦିଲ୍ଲୀ (ଏଜେନ୍ସି): ଚଳିତ ବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ବିପଣନ ଋତୁରେ ସରକାର ଏପର୍ଯ୍ୟନ୍ତ ରେକର୍ଡ ପରିମାଣ ୪୧୮.୪୭ ଲକ୍ଷ ଟନ୍ ଗହମ ଖରିଦ କରିଛନ୍ତି । ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଗହମ କ୍ରୟ ବାବଦରେ ସରକାର ୮୧, ୬୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଦିଲ୍ଲୀ ସୀମାନ୍ତରେ କୃଷକଙ୍କ ଆନ୍ଦୋଳନ ଗତବର୍ଷ ନଭେମ୍ବରରୁ ଚାଲିଥିବା ସତ୍ତ୍ୱେ ଏତେ ପରିମାଣ ଗହମ କିଣିବା ସମ୍ଭବ ହୋଇପାରିଛି । ସରକାରୀ ସୂତ୍ରରୁ କୁହାଯାଇଛି ଯେ ୨୦୨୧-୨୨ କୃଷି ବିପଣନ ଋତୁରେ ଗହମ କିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ବିଶେଷକରି ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର ଆଦି ରାଜ୍ୟରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଗହମ କିଣାଯାଉଛି । ଚଳିତ ଜୁନ୍ ମାସ ୮ତାରିଖ ସୁଦ୍ଧା ସରକାର ୪୧୮.୪୭ ଲକ୍ଷ ଟନ୍ ଗହମ କିଣିସାରିଛନ୍ତି । ଗତବର୍ଷ ଏହି ସମୟରେ ମୋଟ ୩୭୩,୨୨ ଲକ୍ଷ ଟନ୍ ଗହମ କିଣାଯାଇଥିଲା । ସର୍ବନିମ୍ନ ସହାୟକ ମୂଲ୍ୟଦେଇ ଗହମ କିଣାଯିବା ଦ୍ୱାରା ପ୍ର୍ରାୟ ୪୬ ଲକ୍ଷ ଚାଷୀ ଉପକୃତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।