୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ?

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ?

୪୦ ଡିଗ୍ରୀ ଉପରେ ତାତି: ସିଏମସି ପକ୍ଷରୁ ଜଳଛତ୍ର ଖୋଲିବ କେବେ?


କଟକ(ଏନ୍‌.ଏମ୍‌.): କଟକ ସହର ତଥା ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ପ୍ରାୟ ୪୦ଡିଗ୍ରୀ ଉପରେ ତାପମାତ୍ରା ଅନୁଭୂତ ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଗ୍ରୀଷ୍ମତାପ ମୁକାବିଲା ନେଇ ହୋଇଥିବା ବୈଠକରେ ଜିଲ୍ଲାପାଳ ନିରବଚ୍ଛିନ୍ନ ବିଦ୍ୟୁତ ସେବା, ଜଳ ଯୋଗାଣ, ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା, ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିଲେ । ମାତ୍ର ଜିଲ୍ଲାପାଳଙ୍କ ବୈଠକରେ ସମସ୍ତ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ସେଠାରୁ ଆସିବା ପରେ ବିଭାଗୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ଭୂଲି ଯାଇଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ସମ୍ପ୍ରତି କଟକ ସହର ସମେତ ଜିଲ୍ଲାରେ ଅସହ୍ୟ ଗରମ ହେଉଥିବାବେଳେ କଟକ ମହାନଗର ନିଗମ ପକ୍ଷରୁ ଜଳ ଯୋଗାଣ, ଜଳଛତ୍ର କେନ୍ଦ୍ର ଖୋଲିବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ବେସରକାରୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ର ଖୋଲି ଦହି, ଲୁଣ ପାଣି ବିତରଣ କରୁଥିବାବେଳେ କଟକ ମହାନଗର ନିଗମ ଆଜି ପର୍ଯ୍ୟନ୍ତ ନିରୋଳା ପାଣି ଟିକେ ଦେଇ ନପାରିବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ହୋଇଛି । ଏବେ ରାଜ୍ୟରେ ଅସହ୍ୟ ତାପମାତ୍ରା ବୃଦ୍ଧି ଯୋଗୁ ପଥଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ର ଖୋଲାଯାଉଥିବାବେଳେ ସିଏମସି କର୍ତ୍ତୃପକ୍ଷ ଜଳଛତ୍ର କେନ୍ଦ୍ର ନଖୋଲିବା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ପୂର୍ବରୁ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଶୀତଳ ପାନୀୟ ଜଳ ପ୍ରକଳ୍ପ ଲାଗିଥିବାବେଳେ ଏବେ ପ୍ରଶାସନର ଉଚ୍ଛେଦ ଯୋଗୁଁ ଅନେକ ପ୍ରକଳ୍ପ ଭାଙ୍ଗିଯାଇଛି । ଆଉ ଯେଉଁ କେତେକ ସ୍ଥାନରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ରହିଛି ତାହା ଅଚଳ ହୋଇ ପଡ଼ିଥିବାରୁ ଖରାବେଳେ ତୁଷାର୍ତ୍ତ ବ୍ୟକ୍ତିଟି ଟୋପିଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସେହି ଭଳି ସିଏମସି ୪୮ ଓ ୪୯ନମ୍ବର ୱାର୍ଡରେ ସିଏମସି କିମ୍ବା ଜିଲ୍ଲାପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ଜଳଛତ୍ର କେନ୍ଦ୍ର ଖୋଲାନଯିବା ପ୍ରସାଶନର ବିଫଳତାକୁ ପଦାରେ ପକାଇଛି । ଏହାର ଜ୍ୱଳନ୍ତ ଉଦାହରଣ ମହାନଦୀ ବ୍ୟାରେଜ ପୁରୁଣା ଫାଣ୍ଡି ଛକ ଠାରେ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଜଳଛତ୍ର କେନ୍ଦ୍ର ଖୋଲାଯିବା ପାଇଁ ପ୍ରସାଶନ ପକ୍ଷରୁ ଯୋଜନା କରାଯାଇ ଥିଲା । ଏଥି ପାଇଁ ଶ୍ୱେତ-ସବୁଜ କପଡ଼ାରେ ଏକ ଛାମୁଣ୍ଡିଆ ନିର୍ମାଣ ହୋଇଥିଲେ ମଧ୍ୟ ଜଳଛତ୍ର କେନ୍ଦ୍ରଟି ଖୋଲାଯାଉନାହିଁ । ତେଣୁ ଏହି ଜଳଛତ୍ର କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ