ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା

ୟାସ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ୨ଜଣଙ୍କ ମୁଣ୍ଡ ନେଲା ବାତ୍ୟା

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ‘ୟାସ୍’ ଯୋଗୁଁ ରାଜ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବାତ୍ୟା ଅଧିକ ତାଣ୍ଡବ ରଚିଛି । ବାତ୍ୟା ଯୋଗୁ ୨ଜଣଙ୍କର ମୃତ୍ୟୁ ହେବା ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ।
ବାତ୍ୟା ‘ୟାସ’ ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ପରେ ଏବେ ତାହା ଝାଡ଼ଖଣ୍ଡ ଅଭିମୁଖେ ମୁହାଁଇଥିବାବେଳେ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ନେଇ ଏସଆରସି ଶ୍ରୀ ଜେନା କହିଛନ୍ତି । ବାଲେଶ୍ୱରରେ ଓ କେନ୍ଦୁଝର ଜିଲ୍ଲାରେ ଗଛ ପଡ଼ି ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ତେଣୁ ଏହାର ତଦନ୍ତ ଚାଲିଛି ବୋଲି ସେ କହିଥିଲେ । ଏଥି ସହିତ ବାଲେଶ୍ୱର ଓ ଭଦ୍ରକରେ କ୍ଷୟକ୍ଷତି ଅଧିକ ହୋଇଛି । ଏବେ ସେଠାରେ ରାସ୍ତା ପଡ଼ି ରହିଥିବା ଗଛଗୁଡ଼ିକୁ କାଟି ସଫା କରିବା କାର୍ଯ୍ୟ ଆରମ୍ଭ ହୋଇଛି । ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଉଛି । ନୀଳଗିରି ଅଞ୍ଚଳରେ ବାତ୍ୟା ଯୋଗୁଁ ଅଧିକ ଗଛ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି । ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ଗତି ଘଣ୍ଟା ପ୍ରତି ୧୩୦ରୁ ୧୫୦କିଲୋମିଟର ରହିଥିଲା । ପୁନଶ୍ଚ ସମୁଦ୍ରରେ ଅଧିକ ଉଚ୍ଚର ଜୁଆର ସୃଷ୍ଟି ହୋଇଥିବା ଯୋଗୁ ବହୁ ଅଞ୍ଚଳରେ ପାଣି ମାଡ଼ି ଯାଇ ଗାଁଗୁଡ଼ିକ ଜଳମଗ୍ନ ହୋଇଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ ବାତ୍ୟା ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ଅଧିକ କ୍ଷୟକ୍ଷତିରୁ ବର୍ତ୍ତି ଯାଇଛି । ଏହି ୩ଟି ଜିଲ୍ଲାରେ ସଂଧ୍ୟାସୁଧା ବିଦ୍ୟୁତ ସେବା ଆରମ୍ଭ ହୋଇଛି । ଜିଲ୍ଲାଗୁଡ଼ିକରୁ ରିପୋର୍ଟ ମିଳିବାପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆଜି ବାତ୍ୟାର ପ୍ରଭାବ କମିବା ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଡକ୍ରସ ପକ୍ଷରୁ ରିଲିଫ କାର୍ଯ୍ୟରେ ପ୍ରାୟ ୩୨୦୦ ଲୋକଙ୍କୁ ସାମିଲ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଆଜି ସନ୍ଧ୍ୟା ସୁଦ୍ଧା ରିଲିଫ ସାମଗ୍ରୀ ପହଞ୍ଚିଥିବାବେଳେ ରାସ୍ତାରୁ ପଡ଼ିଥିବା ଗଛ ଉଠାଯିବା ପରେ ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ରାତି ସୁଦ୍ଧା ରିଲିଫ ସାମଗ୍ରୀ ପଠାଯିବ ବୋଲି ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ