ହାଇକୋର୍ଟରେ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବି ଖାରଜ, ସରକାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କଟକ (ଏନ୍.ଏମ୍.): ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାର ସଠିକ୍ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ୍ କରାଇବା ଦାବିରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କିନ୍ତୁ ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋଭିଡଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହୁଥିବାବେଳେ ଏହାର ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ମାତ୍ର ମାମଲାଟି ଆଇନ ଅନୁଯାୟୀ ଦାଏର ହୋଇ ନଥିବାରୁ କୋର୍ଟ ଏହାକୁ ଖାରଜ କରିଛନ୍ତି । ଅନ୍ୟପକ୍ଷରେ କୋଭିଡ୍ ମୃତ୍ୟୁସଂଖ୍ୟା ଜନିତ ସରକାରୀ ତଥ୍ୟରେ ତାଳମେଳ ରହୁ ନଥିବା ପ୍ରସଙ୍ଗକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ତେଣୁ ଏହି ମାମଲାଟି ଖାରଜ ହୋଇଥିଲେ ମଧ୍ୟ ଏ ସମ୍ପର୍କିତ ଅନ୍ୟ ଏକ ମାମଲାର ଶୁଣାଣିରେ ସମସ୍ତ ତଥ୍ୟ ଉପସ୍ଥାପନ କରିବାକୁ ଆଡଭୋକେଟ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ବିବାଦ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଦନ୍ତ କରିଛନ୍ତି କି ନାହିଁ, ତାହା ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ପାଇଁ ଦାଖଲ ହୋଇଥିବା ମାମଲାର ତଦନ୍ତ ହୋଇଛି କି ନାହିଁ ସେ ନେଇ ହାଇକୋର୍ଟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଚାରିଛନ୍ତି । ଏଥିସହ ଜିଲ୍ଲାୱାରୀ କୋଭିଡ ମୃତ୍ୟୁ ରିପୋର୍ଟ ମାଗିଛନ୍ତି । ଏଥିରେ ସମ୍ପୃକ୍ତ ସମସ୍ତ ତଥ୍ୟ, ବିବରଣୀ, ଆସନ୍ତା ଜୁଲାଇ ୫ରେ ଶୁଣାଣି କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।