ସ୍ପଷ୍ଟ କଲା ଉଭୟ ଦଳ: ‘ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ହେବନି ମେଣ୍ଟ’
#ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜନୀତି ମହଲରେ ଯେଉଁ ଚର୍ଚ୍ଚା ହେଉଥିଲେ ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଉଭୟ ଦଳର ମୁଖ୍ୟ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ । ଏକାକୀ ବିଜେପି ଲଢ଼ିବ । ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ଏହି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି । ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ । ବିଜେପି ଲୋକସଭାରେ ୨୧ସିଟ୍ ଜିତିବ । ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ । ସେ କହିଛନ୍ତି, ଏଥିପାଇଁ କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିବା ଦରକାର । ଓଡ଼ିଶାରେ ବିଜେପି ନିଶ୍ଚୟ ସରକାର କରିବ । ଲୋକ ଏଥର ଛପର ଫାଡି ବିଜେପିକୁ ଭୋଟ ଦେବେ । ଅଧିକାଂଶ ସିଟ୍ ବିଜେପି ଜିତିବ । ଲୋକସଭା ତାଲିକା ଶୀଘ୍ର ପ୍ରକାଶ ପାଇବ । ପରବର୍ତ୍ତୀସ୍ତରରେ ଅନ୍ୟ ତାଲିକା ବାହାରିବ । ଯେ କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ମନମୋହନ ସୂଚନା ଦେଇଛନ୍ତି । ସେହିଭଳି ବିଜେଡିର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ମଧ୍ୟ ମେଣ୍ଟକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମେଣ୍ଟ କଥା ବିଜେଡି ନୁହେଁ ବିଜେପି ଉଠାଇଥିଲା । କିନ୍ତୁ ପୂର୍ବଭଳି ବିଜେଡି ସମସ୍ତ ରାଜନୈତିକ ଦଳ ଠାରୁ ସମଦୂରତ୍ୱ ବଜାୟ ରଖି ନିର୍ବାଚନ ଲଢ଼ିବ । ଓଡ଼ିଶାବାସୀଙ୍କ ଭଲପାଇବାକୁ ପାଥେୟ କରି ବିଜେଡି ରାଜ୍ୟରେ ସରକାର ଗଠନ କରିବ । ପୁନଶ୍ଚ ବିଜେପିର ରାଜ୍ୟରେ ନେତାଙ୍କ ସଂକଟ ଦେଖାଦେଇଛି । ତେଣୁ ବିଜେଡିରୁ ଜନବିରୋଧୀ କାର୍ଯ୍ୟପାଇଁ ପ୍ରତ୍ୟାଖ୍ୟାତ ହୋଇଥିବା ନେତାମାନଙ୍କୁ ବିଜେପି ନିଜ ଦଳକୁ ପାଛୋଟି ନେଉଛି । ତେଣୁ ତେଣୁ ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ଅସମ୍ଭବ । ଆଗରୁ ବିଜେଡି ସରକାର କରିଆସିଥିବାବେଳେ ଆଗାମୀ ଦିନରେ ମଧ୍ୟ ପୂର୍ଣ୍ଣ ସରକାର ଗଠନ କରିବ ଏଥିରେ ସନ୍ଦେହ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।