ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ

ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ

ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ


ନୂଆଦିଲ୍ଲୀ(ଏଜେନ୍ସି): ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ଜାରି ରହିଥିବା କଟକଣାକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସେହିପରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଯେମିତି କୌଣସି ସ୍ଥାନରେ ଭିଡ଼ ନଜମିବ ସେ ନେଇ ରାଜ୍ୟ ସରକାର ନିଶ୍ଚିତ କରନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ନୂଆ ଗାଇଡଲାଇନରେ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୁଣା କଥାକୁ ପୁନର୍ବାର ଦୋହରାଇଛନ୍ତି । ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ସୂତ୍ରୀ ମନ୍ତ୍ର ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । କୋଭିଡର ଉଚିତ ବ୍ୟବହାର ହେଲା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜରର ବ୍ୟବହାର କରିବା । ରାଜ୍ୟ ସରକାର ଏହାପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ଗୋଟିଏ ବିବୃତିରେ କହିଛନ୍ତି ଯେ, ‘ବର୍ତ୍ତମାନ ଜାତୀୟ ସ୍ତରରେ ମହାମାରୀ ସ୍ଥିତିରେ ସ୍ଥିରତା ରହିବା ଭଳି ଦୃଶ୍ୟମାନ ହେଉଛି । ହାତ ଗଣତି ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ତଥାପି ଦେଶର କିଛି ଜିଲ୍ଲାରେ ଆକ୍ଟିଭ କେସ୍ ଓ ପିଜିଟିଭିଟି ରେଟ ବଢ଼ୁଛି । ତେଣୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ତେଣୁ ଏହାକୁ ରୋକିବାକୁ ସମସ୍ତେ ପଦକ୍ଷେପ ନେବା ଦରକାର । ସକ୍ରିୟ କଣ୍ଟେନମେଣ୍ଟ ଦ୍ୱାରା ସଂକ୍ରମଣ ରୋକାଯାଇ ପାରିବ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟ ସରକାରମାନେ ଯେମିତି ଭିଡ଼ ଅଧିକ ନହେବ, ତା’ର ବ୍ୟବସ୍ଥା କରିବେ । ନିୟମକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବେ ।’ ଗାଇଡଲାଇନରେ କୁହାଯାଇଛି ଯେ, ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଗୁଡ଼ିକ ପାର୍ବଣରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ କଟକଣା ଲାଗୁ କରିପାରିବେ । ସେହିପରି ସର୍ବସାଧାରଣରେ କୋଭିଡର ଉଚିତ ବ୍ୟବହାର ଠିକ ଭାବେ ପାଳନ କରାଯାଉଛି କି ନାହିଁ, ତା’ର ଯାଞ୍ଚ କରିବେ । ସଂକ୍ରମଣ କମ ଥିବା ଅଞ୍ଚଳରେ ମଧ୍ୟ ଟେଷ୍ଟିଂକୁ ଜୋରଦାର କରି ଲୋକଙ୍କ ଚାଲିଚଳନ ଉପରେ ନଜର ରଖିବାକୁ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶନାମା ଦିଆଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ