ସିବିଆଇ କମର୍ଚାରୀ ଓ ଅଧିକାରୀଙ୍କ ପୋଷାକ ଉପେର କଟକଣା : ଗେଟଅପରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ (ଏଜେନ୍ସି): ସେଣ୍ଟାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ରେ ଗେଟଅଫରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଣିକି ଜିନ୍ସ୍, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍ ପିନ୍ଧି ଅଫିସକୁ ଆସି ପାରିବେ ନାହିଁ । କେବଳ ‘ଫର୍ମାଲ୍’ ପୋଷାକ ପରିଧାନ ବାଧ୍ୟତାମୂଳକ କରିଛନ୍ତି ସିବିଆଇ ନିର୍ଦେଶକ ଶ୍ରୀ ଜୟସ୍ୱାଲ୍ ।
ଏ ସଂକ୍ରାନ୍ତରେ ଜାରି ଆଦେଶନାମା ଅନୁସାରେ, ପୁରୁଷମାନେ ଫର୍ମାଲ୍ ସାର୍ଟ, ଟ୍ରାଉଜର୍ସ ଓ ଜୋତା ପିନ୍ଧିବା ସହ ଉତ୍ତମ ରୂପେ ନିଶ ଦାଢ଼ି (କାଟି)ସାଇଜ କରି ଅଫିସକୁ ଆସିବା ଉଚିତ । ସେହିଭଳି ମହିଳା କର୍ମଚାରୀମାନେ କେବଳ ଶାଢ଼ି, ସୁଟ୍, ଫର୍ମାଲ୍ ସାର୍ଟ ଏବଂ ଟ୍ରାଉଜର୍ସ ପିନ୍ଧି ଅଫିସକୁ ଆସି ପାରିବେ । ଅଫିସ ମଧ୍ୟରେ ଜିନ୍ସ୍, ଟି-ସାର୍ଟ, ସ୍ପୋର୍ଟସ୍ ସୁଜ୍, ଚପଲ ଏବଂ କାଜୁଆଲ୍ ପରିଧାନ ପାଇଁ ଅନୁମତି ଦିଆଯିବ ନାହିଁ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ମଧ୍ୟ ଦେଶରେ ଥିବା ‘ସିବିଆଇ’ର ସମସ୍ତ ଶାଖା ମୁଖ୍ୟଙ୍କୁ ନିର୍ଦେଶ ଦିଆଯାଇଛି । ଏ ନେଇ ନିଜର ପରିଚୟ ଗୋପନ ରଖି କେତେକ ‘ସିବିଆଇ’ ଅଧିକାରୀ କହିଛନ୍ତି ଯେ, ଏହା ଗୋଟିଏ ଉତ୍ତମ ଆଦେଶ । ପ୍ରତ୍ୟେକ ଅଧିକାରୀ ଏବଂ କର୍ମଚାରୀମାନେ ‘ଫର୍ମାଲ୍’ ପୋଷାକ ପିନ୍ଧିବା ଆବଶ୍ୟକ । କିନ୍ତୁ, କିଛି ବର୍ଷ ହେବ ଲୋକେ ଜିନ୍ସ୍ ଓ ଟି-ସାର୍ଟ ଭଳି ‘କାଜୁଆଲ୍’ ପୋଷାକ ପରିଧାନ କରୁଥିଲେ ବି କେହି ମନା କରୁ ନଥିଲେ । ‘ସିବିଆଇ’ ଅଧିକାରୀମାନେ ଅନ୍ୟୂନ କୋଲାର୍ ଥିବା ସାର୍ଟ, ଟ୍ରାଉଜର୍ସ୍ ଏବଂ ଜୋତା ପିନ୍ଧିବା ଆବଶ୍ୟକ । ‘ସିବିଆଇ’ ବିଷୟରେ ଅବଗତ ଥିବା ଲୋକଙ୍କ କହିବା ଅନୁସାରେ, ଗତ ସପ୍ତାହରେ ୩୩ତମ ନିର୍ଦେଶକ ଭାବେ ଯୋଗ ଦେଇଥିବା ଶ୍ରୀ ଜୟସୱାଲ୍ ‘ସିବିଆଇ’ର ପାରଦର୍ଶିତା ଓ ଭାବମୂର୍ତ୍ତି ଉନ୍ନତ କରିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଅଧିକାରୀ ଓ କର୍ମଚାରୀଙ୍କ ଗେଟଅପ୍ରେ ପରିବର୍ତ୍ତନ ବିଭାଗ ପାଇଁ ନିଶ୍ଚୟ ସୁଫଳ ଆଣିଦେବ ବୋଲି ବହୁ ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।