କଟକ(ଏନ୍.ଏମ୍): ଆଗକୁ ଆସୁଥିବା ସାମୁଦ୍ରିକ ଝଡ଼ ୟାସକୁ ମୁକାବିଲା କରିବା ସମ୍ପର୍କରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈକଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ଅଧିକାରୀ ମାନଙ୍କ ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ବିଷୟରେ ବିଷଦ୍ ଆଲୋଚନା କରିଥିଲେ । ବର୍ତ୍ତମାନ ଜିଲ୍ଲାରେ କରୋନାର ଦିତୀୟ ଲହରୀ ଚାଲିଥିବାବେଳେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସମସ୍ତଙ୍କ ସହଯୋଗରେ ସାମ୍ନା କରାଯିବା ସହ ଏହାର ସୁପରିଚାଳନା କରାଯିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।
ଚଳିତ ବର୍ଷ ମୌସୁମୀ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀମାନେ ସତର୍କତା ସହିତ କାର୍ଯ୍ୟ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବିଭିନ୍ନ ବିହାଗୀୟ ନିର୍ବାହୀଯନ୍ତ୍ରୀଙ୍କ ଡିଭିଜନ ଅଧୀନରେ ଥିବା ନଦୀ ବନ୍ଧର ଦୁର୍ବଳ ଓ କ୍ଷତି ପ୍ରବଣ ସ୍ଥାନଗୁଡିକୁ ନିର୍ବାହୀ ଯନ୍ତ୍ରୀ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନଦୀବନ୍ଧର ମରାମତି ଏବଂ ସୁଦୃଢୀ କରଣ କରିବା ଉପରେ ସାଂସଦ ଭର୍ତ୍ତୁହରି ମହତାବଙ୍କ ସହ ସାମିଲ ହୋଇଥିବା ମନ୍ତ୍ରୀ ଓ ବିଧାୟକମାନେ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡରେ ଥିବା ସାପୁଆ ନଦୀ ବନ୍ଧର ମରାମତି ଓ ନଦୀ ନିକଟରେ ଥିବା ଜନ ବସତିକୁ କିପରି ସମ୍ଭାବ୍ୟ ବନ୍ୟାରୁ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ବିଦ୍ୟୁତ ଯୋଗାଣ କିପରି ବ୍ୟାହତ ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସହିତ ଜରୁରୀ କାଳୀନ ସେବା,ପାୱାର ବୋଟ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ମହାନଗର ନିଗମ ଅଞ୍ଚଳରେ ଅଧିକ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ଓ ଜଳ ନିଷ୍କାସନ ଏବଂ ରାସ୍ତା ଘାଟ ମରାମତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଜିଲ୍ଲାକୁ ୯ଗୋଟି ଜୋନରେ ବିଭକ୍ତ କରାଯାଇ ଏହାର ଉପଯୁକ୍ତ ପରିଚାଳନା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦାରଖ କରିବାକୁ ନିଯୁକ୍ତ କରାଯାଇଅଛି । ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ୨୬ଗୋଟି ପାୱାର ବୋଟ ମହଜୁଦ ଥିବାବେଳେ ଅଧିକ ୭୮ଗୋଟି ପାୱାର ବୋଟର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ୧୨୭ ଗୋଟି ଦେଶୀ ଡଙ୍ଗା ମହଜୁଦ ଥିବାବେଳେ ଅଧିକ ୧୪୧ ଗୋଟି ଦେଶୀ ଡଙ୍ଗା ବି.ଡ଼ି.ଓ ମାନେ ନିଜ ନିଜ ଅଞ୍ଚଳର ଫେରି ଘାଟରେ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାରେ ବନ୍ୟା ସମୟରେ ଦୁର୍ଗମ ଅଞ୍ଚଳ ମାନଙ୍କରେ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ୪୦ହଜାର କ୍ୱିଣ୍ଟାଲ ଖାଦ୍ୟ ସାମଗ୍ରୀ,୨୬ହଜାର ଲିଟର କିରୋସିନ ମହଜୁଦ ଥିବା ବୈଠକରେ ଆଲୋଚନା ହୋଇଥିଲା । କଟକ ମହାନଗର ନିଗମ, ସମସ୍ତ ଉପଖଣ୍ଡ, ବ୍ଲକ, ପୌରାଞ୍ଚଳ ଏବଂ ବିଜ୍ଞପିତ ଅଞ୍ଚଳ ମାନଙ୍କରେ ମେ ମାସ ୧ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମ୍ଭାବ୍ୟ ବନ୍ୟା, ବାତ୍ୟା, ଏବଂ ବିପର୍ଯ୍ୟୟର ସୁପରିଚାଳନା ନିମନ୍ତେ ନିୟନ୍ତ୍ରଣ କକ୍ଷ ଚାଲୁ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବନ୍ୟା ତଥା ମରୁଡିରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି, ଫସଲର ଉପଯୁକ୍ତ ଆକଳନ ତଥା କୃଷକ ଓ ଚାଷୀମାନଙ୍କର ସବସିଡ ସଠିକ ସମୟରେ ଏବଂ ତ୍ୱରିତ ବେଗରେ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିର୍ଦେଶାବଳିକୁ ଅନୁପାଳନ କରି ସମସ୍ତ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗ ଉପନିଦେ୍ର୍ଦଶକଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ୟାସ୍ ପରିସ୍ଥିତିର ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶାନାମା ଅନୁଯାୟୀ ସମସ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ସତର୍କ ରହିବା, ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖିବା ସହ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ନିମନ୍ତେ ଯତ୍ନବାନ ହେବା, କୋଭିଡ ନିୟମ ଅନୁପାଳନ ପୂର୍ବକ କଚ୍ଚା ଘରୁ ଲୋକଙ୍କ ସ୍ଥାନାନ୍ତରଣକୁ ତ୍ୱରାନ୍ୱିତ କରିବା, ଗଛ କଟା ଯନ୍ତ୍ର, ଜେନେରେଟର, ଟାୱାର ଲାଇଟ ଇତ୍ୟାଦି ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଅମ୍ବର କୁମାର କର, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ, ବି.ଡ଼ି.ଓ, ତହସିଲଦାର, ନିର୍ବାହି ଯନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଅଗ୍ନିଶମ ସେବାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।