ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ
#ଭୁବନେଶ୍ୱର(ଏନ୍.ଏମ୍.): ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ସୁଚାରୁ ରୂପେ ପରିଚାଳନା ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ତରଫରୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନ ସମ୍ପର୍କିତ ଭିନ୍ନ ଭିନ୍ନ ତାଲିମ ପ୍ରଦାନ କରାଯାଇଛି । ଦିଲ୍ଲୀସ୍ଥିତ ଆଇ.ଆଇ.ଆଇ.ଡି.ଇ.ଏମ୍.ରୁ ରାଜ୍ୟର ୮୫ଜଣ ଅଧିକାରୀ ରାଜ୍ୟସ୍ତରୀୟ ମାଷ୍ଟର୍ସ ଟ୍ରେନର ଭାବେ ନିର୍ବାଚନ ସମ୍ପର୍କିତ ବିଷୟ ଭିତ୍ତିକ ତାଲିମ ଗ୍ରହଣ କରି ୮୦୨ ଜଣ ଜିଲ୍ଲାସ୍ତରୀୟ ମାଷ୍ଟର୍ସ ଟ୍ରେନରଙ୍କୁ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ଏହି ତାଲିମପ୍ରାପ୍ତ ଜିଲ୍ଲାସ୍ତରୀୟ ମାଷ୍ଟର୍ସ ଟ୍ରେନରମାନେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ବିଷୟ ଯଥା-ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଥିବା ପ୍ରାର୍ଥୀମାନଙ୍କର ଯୋଗ୍ୟତା, ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ନିର୍ବାଚନ ଚିହ୍ନ ବଣ୍ଟନ ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା, ସୁରକ୍ଷା ପରିଚାଳନା, ପୁଲିଙ୍ଗ୍ ପାର୍ଟି ପ୍ରେରଣ, ନିର୍ବାଚନ ସାମଗ୍ରୀ ବଣ୍ଟନ, ଭୋଟ ପରେ ପୁଲିଙ୍ଗ୍ ପାର୍ଟିକୁ ଗ୍ରହଣ, ଭୋଟ ଦିନର ସୁପରିଚାଳନା, ଭୋଟିଂ ପ୍ରକ୍ରିୟା ସ୍ୱଚ୍ଛ ଓ ନିରାପଦ ପ୍ରକ୍ରିୟା, ପର୍ଯ୍ୟବେକ୍ଷକ/ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ସୁପରିଚାଳନା ଇତ୍ୟାଦି ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟରେ ଆଦର୍ଶ ଆଚରଣବିଧି, ଅଭିଯୋଗ ଗ୍ରହଣ ଓ ସମାଧାନ, ଏମ୍.ସି.ଏମ୍.ସି, ମିଡ଼ିଆ ସାର୍ଟିଫିକେସନ୍ ଓ ନିର୍ବାଚନ ଖର୍ଚ୍ଚର ତଦାରଖ ସମ୍ପର୍କରେ କର୍ମଚାରୀ/ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି । ସେହିପରି ଚତୁର୍ଥ ପର୍ଯ୍ୟାୟରେ କର୍ମଚାରୀ/ଅଧିକାରୀମାନଙ୍କୁ ଇ.ଟି.ପି.ବି.ଏସ୍, ପୋଷ୍ଟାଲ ବାଲାଟ୍, ସୁଇପ୍ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି । ସେହିପରି ନର୍ବାଚନ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ନିୟୋଜିତ ଥିବା କର୍ମଚାରୀ/ଅଧିକାରୀମାନଙ୍କୁ ଇଭିଏମ୍/ଭିଭିପ୍ୟାଟ୍, ରାଣ୍ଡୋମାଇଜେସନ୍ ଷ୍ଟୋରେଜ୍, କମିସନିଙ୍ଗ୍, ଇଭିଏମ୍/ଭିଭିପ୍ୟାଟ୍ର ପ୍ରଶାସନିକ ପ୍ରକ୍ରିୟା, ଭୋଟ ଦିନର କାର୍ଯ୍ୟ ଓ ମକ୍ପୋଲ୍, ଇଭିଏମ୍/ଭିଭିପ୍ୟାଟ୍ ପରିବର୍ତ୍ତନ, ଭୋଟ ପରେ ଇଭିଏମ୍/ଭିଭିପ୍ୟାଟ୍ର ଷ୍ଟୋରେଜ୍, ଭୋଟଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ପ୍ରକାଶ କରିଛନ୍ତି ।