ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ

ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ

ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ପ୍ରତିଲିପି ଓଡ଼ିଆର ବିଜେତା ଜୟଶ୍ରୀ


କଟକ(ଏନ୍‌.ଏମ୍‌.): ଲଗାତାର ଷାଠିଏ ଦିନରେ ଷାଠିଏ ଗଳ୍ପ ଲେଖି ଚର୍ଚ୍ଚା ପାଲଟିଛନ୍ତି ଜୟଶ୍ରୀ ସାହୁ । ଅଳ୍ପ ବୟସରୁ ସାରସ୍ୱତ ସାଧନାରେ ପାଦଥାପିଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସଫଳ ହୋଇପାରିଛନ୍ତି । ଜାତୀୟସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ସଞ୍ଚାର ମାଧ୍ୟମରେ ଅନୁଷ୍ଠିତ ଷାଠିଏ ଦିନରେ ଷାଠିଏ ଗଳ୍ପ ପ୍ରତିଯୋଗିତାରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ +୩ ପ୍ରଥମ ବର୍ଷ ଛାତ୍ରୀ ଜୟଶ୍ରୀ ଭାଗ ନେଇ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରତିଯୋଗିତାର ନିୟମ ଅନୁଯାୟୀ ଲଗାତାର ୬୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମୋବାଇଲ ଟାଇପ ଦ୍ୱାରା ଓଡ଼ିଆରେ ଗଳ୍ପ ଲେଖି ତାହାକୁ ପ୍ରତିଲିପିର ସଞ୍ଚାର ପୃଷ୍ଠାରେ କରିବାକୁ ପ୍ରକାଶ କରିବାକୁ ପଡ଼ିଛି । କୌଣସି ଦିନ ଗଳ୍ପ ପ୍ରକାଶ ବନ୍ଦ ହେବାର ନଥିଲା । ଗୋଟିଏ ବି ଦିନ ଗଳ୍ପ ପ୍ରକାଶନ ବନ୍ଦ ହେଲେ ପ୍ରତିଯୋଗିତାରେ ଅଯୋଗ୍ୟ ବିବେଚିତ ହେବାକୁ ପଡ଼ିବ । ପ୍ରତ୍ୟହ ରାତି ୧୨ଟାରେ ସେହିଦିନର ଗଳ୍ପ ପାଇଁ ବିଷୟ ପ୍ରଦାନ କରାଯାଇଥାଏ । ତତ୍‌ପରେ ତୁରନ୍ତ ସେହି ବିଷୟ ଆଧାରରେ ଗଳ୍ପଟି ସମ୍ପୂର୍ଣ୍ଣ କରି ପ୍ରକାଶ କରିବାକୁ ପଡ଼ିଥିଲା ଜୟଶ୍ରୀଙ୍କୁ । ସାମ୍ପ୍ରତିକ ସମାଜ ଉପରେ ଆଧାରିତ ତଥା ନିଜ ପରିକଳ୍ପିତ କାହାଣୀ ଆଗଧାଡ଼ିର ଗଳ୍ପଗୁଡ଼ିକ ମଧ୍ୟରେ ଅନ୍ୟତମ । ପ୍ରକାଶିତ ହେବା ପରେ ସଞ୍ଚାରରେ ପାଠକଙ୍କ ସଂଖ୍ୟା ଏବେ ୧ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ସେମାନଙ୍କ ଟିପ୍ପଣୀଗୁଡ଼ିକ ଗଳ୍ପ ଲେଖିବାକୁ ଅଧିକ ଅନୁପ୍ରେରିତ କରିଛି ବୋଲି ଜୟଶ୍ରୀ କୁହନ୍ତି । ସେ ସାମ୍ବାଦିକ କାର୍ତ୍ତିକ ସାହୁ ଓ ଜାନକୀଙ୍କ କନ୍ୟା ଜୟଶ୍ରୀ ଏହି ସଫଳତା ହାସଲ କରିଛନ୍ତି । ପ୍ରତିଲିପି ଓଡ଼ିଆ ପକ୍ଷରୁ ତାଙ୍କ ନିକଟକୁ ପାର୍ସଲ ଯୋଗେ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ତାଙ୍କୁ ବିଜେତାର ସ୍ୱୀକୃତି ଦିଆଯାଇଛି । ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଉକ୍ତ ମାନପତ୍ର ପ୍ରଦାନ କରିବା ସହ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏଥିସହ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସହପାଠୀ ତଥା ପ୍ରତିଲିପିର ନିୟମିତ ପାଠକମାନେ ଜୟଶ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାବ୍ୟତୀତ ଜଣେ ମେଧାବୀ ଛାତ୍ରୀ ଭାବେ ସେ ସରକାରୀ ତଥା ବେସରକାରୀ ସ୍ତରରେ ବୃତ୍ତି ଲାଭ କରିବା ସହ ପ୍ରବନ୍ଧ, ଚିତ୍ରାଙ୍କନ, ବଂଶୀବାଦନ ଆଦି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି