ଶ୍ରୀ ଜୀଉଙ୍କ ପାଇଁ ନୂଆପାଟଣାରୁ ଖଣ୍ଡୁଆପାଟ
ଆଠଗଡ଼ (ଏନ୍.ଏମ୍.): କଟକ ଜିଲ୍ଲା ତିଗିରିଆ ନୂଆପାଟଣାରୁ ଖଣ୍ଡୁଆପାଟ ଶ୍ରୀଜୀଉଙ୍କୁ ଲାଗି ହେବ । ଏହାକୁ ପିନ୍ଧି ପ୍ରଭୁ ଜଗନ୍ନାଥ ଯିବେ ମାଉମା ଘରକୁ । ଏଥିରେ ବୁଣାକାର ଆଖିରେ ନିଦ ହଜିଯାଇଛି । ସପରିବାରେ ଲାଗିପଡ଼ିଛନ୍ତି ଶ୍ରୀଜୀଉଙ୍କ ଖଣ୍ଡୁଆପାଟ ପ୍ରସ୍ତୁତିରେ । ଗୀତଗୋବିନ୍ଦ ଖଣ୍ଡୁଆପାଟ ସହ ବଡ ଠାକୁରଙ୍କ ସମ୍ପର୍କ ନିଆରା । ଏହି ପାଟ ପିନ୍ଧି ବଡଦେଉଳରେ ଝଲସୁଥାନ୍ତି ବଡଠାକୁର । କେବଳ ବଡ ଦେଉଳ ନୂହେଁ ଶ୍ରୀ ଜୀୟୁଙ୍କ ସ୍ନାନଯାତ୍ରା ହେଉ ଅବା ଘୋଷଯାତ୍ରା । ନିଳାଦ୍ରୀ ବିଜେ ହେଉ ଅବା ଅନବସର । ଏ ସବୁ ନୀତିକାନ୍ତି ଲାଗି ଦରକାର ପଡେ ଗୀତଗୋବିନ୍ଦ ଖଣ୍ଡୁଆପାଟ । ବଡ ସାଆନ୍ତେ ଏହି ପାଟ ପିନ୍ଧି ମାଉସୀ ଘରକୁ ଯାଇଥାନ୍ତି ।
ଏଥିପାଇଁ ବୁଣାକାର ପରିବାର ଲାଗି ପଡ଼ିଛନ୍ତି । କିଏ ସୂତା ଯୋଖିବାରେ ବ୍ୟସ୍ତ ତ କିଏ ତନ୍ତରେ ବସି ଗୀତଗୋବିନ୍ଦ ଲେଖିବାରେ ବ୍ୟସ୍ତ । ଆଗକୁ ଆସୁଛି ଘୋଷଯାତ୍ରା । ପ୍ରଭୁଙ୍କ ଅଙ୍ଗରେ ଲାଗିହେବ ଏସବୁ ବସ୍ତ୍ର । ଏହା ପୂର୍ବରୁ ଏସବୁ ବସ୍ତ୍ର ଶ୍ରୀମନ୍ଦିର ପ୍ରଶାସକ ପାଖରେ ପଇଠ କରାଯିବ ସେଥିପାଇଁ ଚଳଚଞ୍ଚଳ ବୁଣାକାର ପରିବାର । ଏହି ବସ୍ତ୍ର ରେ ଅନେକ ପ୍ରକାର ଡିଜାଇନରେ ତିଆରି କରିଥିବାବେଳେ ଲୁଚିରହିଥାଏ ଅନେକ ସ୍ୱତନ୍ତ୍ରତା କେଉଁ ବସ୍ତ୍ରରେ ଗିତ ଗୋବିନ୍ଦ ଲେଖାଯାଇଥାଏ ତ ଅନେକ ବସ୍ତ୍ରରେ ଲେଖାଯାଇଥାଏ ବିଭିନ୍ନ ପ୍ରକାର ଶ୍ଳୋକ । ଏଥି ପାଇଁ ଆଜି ନୂଆପାଟଣା ଗ୍ରାମ ଗର୍ବିତ ବୋଲି ଅଞ୍ଚଳବାସୀ କହିଛନ୍ତି ।