ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ
କଟକ(ଏନ୍.ଏମ୍.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ଅନୁମତି ଦିଆଯାଇନଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ଆଜି ହାଇକୋର୍ଟରେ ଦିଆଯାଇଥିବା ସତ୍ୟପାଠରେ ଦର୍ଶା ଯାଇଛି । ଆଜି ହାଇକୋର୍ଟରେ ଏଏସ୍ଆଇ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି କିମ୍ବା ଏନ୍ଓସି ଦିଆଯାଇ ନଥିବାବେଳେ ସରକାରଙ୍କ ପକ୍ଷରୁ ବାରମ୍ବାର ଡିଜାଇନ ମଧ୍ୟ ବଦଳାଯାଇଥିବା କଥା କହିଛି ଏଏସ୍ଆଇ । ନ୍ୟାସନାଲ ମନୁମେଣ୍ଟ ଅଥରିଟି(ଏନ୍ଏମ୍ଏ)କୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନର ଡିଜାଇନ ଭିନ୍ନ ବୋଲି କୁହାଯାଇଛି । ଏହା ସହିତ ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇ ପାରେ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିର ନିକଟରେ ୭୫ ମିଟର ଭିତରେ ଏବେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ ସବୁ କ୍ଷତି ହୋଇଛି, ଏଏସଆଇ ସେନେଇ ସତ୍ୟପାଠରେ କିଛି ବିସ୍ତୃତ ବିବରଣୀ ପ୍ରଦାନ କରିନାହିଁ । ତେଣୁ ହାଇକୋର୍ଟ ପୁଣି ଥରେ ଏକ ବିସ୍ତୃତ ରିପୋର୍ଟ ତିଆରି କରି ଦାଖଲ କରିବାକୁ ଏଏସ୍ଆଇକୁ କହିଛନ୍ତି । ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୨ ତାରିଖରେ ହେବ ବୋଲି ହାଇକୋର୍ଟ କହିଛନ୍ତି ।
ଶ୍ରୀମନ୍ଦିର ନିକଟରେ ଏବେ ଟଏଲେଟ୍ ଆଦି ନିର୍ମାଣ ହେଉଥିବାବେଳେ ସେଗୁଡ଼ିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହୋଇଗଲାଣି । ତେଣୁ ଆବେଦନକାରୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିଲା । ତେବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି । ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ, ଯାହା ସବୁ ହେଉଛି ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଭିତରେ ହେଉଛି । ଆଜି ଆବେନକାରୀ ଓ ସରକାରଙ୍କ ପକ୍ଷରୁ କୋର୍ଟରେ ଏହି ମାମଲାରେ ଜୋରଦାର ଯୁକ୍ତି ଉପସ୍ଥପାନ କରାଯାଇଥିଲା । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଶ୍ରୀମନ୍ଦିର ଚାରିପାଖେ ଏବେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ । ଅନ୍ୟପକ୍ଷରେ ଏଏସ୍ଆଇ ପକ୍ଷରୁ କୁହାଯାଇଥିଲା ଯେ, ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତିର ଆବଶ୍ୟକତା ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ଏଏସ୍ଆଇ ଆଇନ ଅନୁସାରେ ବି ଏ ପ୍ରକାର ନିର୍ମାଣ ପାଇଁ ଅନୁମତି ଦେଇ ପାରିବନି । ତେଣୁ ଆଜି ସତ୍ୟପାଠ ଦାଖଲ କରି କହିଦେଲେ ଯେ ସେମାନେ କିଛି ଅନୁମତି ଦେଇ ନାହାନ୍ତି । ଶ୍ରୀମନ୍ଦିରରୁ ୭୫ ମିଟର ଭିତରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ତେଣୁ ଏହା ବେଆଇନ । ଯଦି ଏଏସ୍ଆଇ ଅନୁମତି ଦେଇ ନଥିଲା, ତା’ହେଲେ ବେଆଇନ ନିର୍ମାଣ କାମ ଚାଲିଥିବା ବେଳେ କାହିଁକି ମାମଲା ରୁଜୁ କରି ନଥିଲା । ଆଇନ ଅନୁଯାୟୀ ଏଏସ୍ଆଇ ଏତଲା ଦେବାର କ୍ଷମତା ଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା । ଆଜି ସତ୍ୟପାଠ ଦାଖଲ କରି ଅନୁମତି ଦେଇ ନାହାନ୍ତି ବୋଲି କହୁଥିଲେ ମଧ୍ୟ ଏହି ନିର୍ମାଣର ପ୍ରଭାବ ଶ୍ରୀମନ୍ଦିର ଉପରେ କ’ଣ ରହିବ, ତାହା ନଜଣାଇବା ଦୁର୍ଭାଗ୍ୟଜନକ । ତେବେ ଏଏସଆଇ ତା’ର ରିପୋର୍ଟ ଦେଲା ବେଳକୁ ଏଠାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବ ।