ଶଙ୍କଟରେ ଗଜରାଜ: ଜୟପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତାହାତୀ

ଆଠଗଡ଼(ଏନ୍.ଏମ୍.): ଏବେ ଶଙ୍କଟରେ ଗଜରାଜ । ଗୋଟିଏ ପଟେ ମଣିଷ ଜଙ୍ଗଲ ଭିତରକୁ ଧସେଇ ପଶିବା ଯୋଗୁଁ ବନ୍ୟଜନ୍ତୁ ବାସହରା ବେସାହାରା ହୋଇପଡ଼ିଛନ୍ତି । ଦିନକୁ ଦିନ ଘଞ୍ଚ ଅରଣ୍ୟ ପାଲଟି ଯାଉଛି କଂକ୍ରିଟ ଜଙ୍ଗଲ ଆଉ ବିକାଶର ସ୍ମାରକୀ କଳକାରଖାନା । ଏଥିରେ ଅତିଶୟ ବନ୍ୟଜନ୍ତୁ ବିଚରା ରହିବ କେଉଁଠି । ବାଧ୍ୟ ହୋଇ ପଶି ଆସୁଛି ଜନବସତି ଆଡକୁ । ଖାଦ୍ୟ ଗଣ୍ଡେ ନପାଇ ଭୋକ ଉପାସରେ ବୁଲୁଛି ଏ ଗାଁରୁ ସେ ଗାଁକୁ । ସେ ହାତୀ ହୁଅନ୍ତୁ ବା ହରିଣ କିମ୍ବା ବାରହା । ଜୀବନ ବିକଳରେ ଗାଁ ମୁହଁ ହୋଇଥିବାବେଳେ ବି ମଣିଷଙ୍କ ହାବୁଡ଼ରୁ ଖସି ପାରୁନାହାନ୍ତି । ବାଧ୍ୟ ହୋଇ ଜୀବନ ପାଇଁ ସଂଗ୍ରାମ କରୁଛି । ଆଉ ଏହି ସଂଗ୍ରାମରେ କେତେବେଳେ ମଣିଷତ ଆଉ କେତେବେଳେ ବନ୍ୟଜନ୍ତୁ ବଳି ପଡ଼ି ଯାଉଛନ୍ତି । କେଉଁଠି ବନ୍ୟଜନ୍ତୁଙ୍କ ଆକ୍ରମଣରେ ମଣିଷ ମୃତ୍ୟୁମୁଖରେ ପଡ଼ୁଛି ତ ଆଉ କେଉଁଠି ମନୁଷ୍ୟର ଚକ୍ରାନ୍ତ ମୂଳକ ଆକ୍ରମଣରେ ବନ୍ୟଜନ୍ତୁ ପ୍ରାଣ ହରାଉଛି । ତେବେ ଏହାକୁ ନେଇ ବ୍ୟଥିତ ହୋଇ ପଡ଼ିଛନ୍ତି ବନ୍ୟଜନ୍ତୁ ପ୍ରେମୀ । କିନ୍ତୁ ନାଚାର । ଏହାର ସ୍ଥାୟୀ ମାର୍ଗ କିଏ ଖୋଜିବ ତାହାକୁ ନେଇ ପ୍ରଶ୍ନବାଚୀ ।
ଏବେ ଗୋଟିଏ ପରେ ଗୋଟିଏ ହାତୀ ବିପଦରେ ପଡ଼ୁଥିବା ଦେଖିବାକୁ ମିଳିଛି । ତେବେ ଆଜି କଟକ ଜିଲ୍ଲା ନରସିଂହପୁର ଜୟପୁର ଜଙ୍ଗଲରେ ଗୋଟିଏ ଗୁଳିବିଦ୍ଧ ଦନ୍ତାହାତୀ ବୁଲୁଛି । ଗୁଳିବିଦ୍ଧ ହୋଇଥିବାବେଳେ କେତେବେଳେ ଯନ୍ତ୍ରଣାରେ ଛପଟପ ହୋଇ ଗଡ଼ିଯାଉଛି ତ ଆଉ କେତେବେଳେ ଏଣେ ତେଣେ ବୁଲି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛି । ସୂଚନା ଅନୁଯାୟୀ ସ୍ଥାନୀୟ ପଶ୍ଚିମ ବନ ବିଭାଗ ଅଧିନସ୍ଥ ଜୟପୁରରେ ଶିକାରୀ ଗୁଳିରେ ଏହି ହାତୀଟି ଅସୁସ୍ଥ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ଉକ୍ତ ହାତୀଟିର ବୟସ ୮ ରୁ ୧୦ ବର୍ଷ ହେବ ବୋଲି କୁହାଯାଉଛି । ତେବେ ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏ ବିଷୟରେ ଜଣାପଡ଼ିବା ପରେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ପ୍ରାଥମିକ ପର୍ଯ୍ୟାୟରେ ଚିକିତ୍ସା କରିଛନ୍ତି । ଏକ ମାସ ହେବ ଏହିପରି କ୍ଷତ ବିକ୍ଷତ ଅବସ୍ଥାରେ ବୁଲୁଛି ହାତୀ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ଏହି ହାତୀଟିକୁ ତୁରନ୍ତ ଚିକିତ୍ସା କରିବା ସହ ହାତୀମାନଙ୍କୁ ସୁରକ୍ଷା ଯୋଗାଇଦେବା ତଥା ସେମାନେ କିଭଳି ଗ୍ରାମାଭିମୁଖୀ ନହେବେ ଏବଂ ଶିକାରୀଙ୍କ କବଳରୁ ରକ୍ଷା ପାଇବେ ସେ ନେଇ ବନବିଭାଗ ତ୍ୱରିତ ପଦକ୍ଷେପ ନେବାକୁ ବନ୍ୟଜନ୍ତୁ ପ୍ରେମୀମାନେ ଦାବି କରିଛନ୍ତି ।