ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ
#ବଲାଙ୍ଗୀର(ଏନ୍.ଏମ୍.): ଜମି ଡିମାର୍କେସନ ପାଇଁ ଅମିନ ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଯାଇଛନ୍ତି । ୮ ହଜାର ଟଙ୍କା ଲାଞ୍ଚ ନେଇ ସମ୍ପୃକ୍ତ ଅମିନଙ୍କୁ ମାଡିବସିଛି ଭିଜିଲାନ୍ସ । ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ ଘଟିଛି । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଅମିନଜଣକ ହେଲେ ନିରମଲେନ୍ଦୁ କବି ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ଡିମାର୍କେସନ ନିମନ୍ତେ ପୂର୍ବରୁ ଅମିନ ନୀରମଲେନ୍ଦୁ କବିଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏଥିନିମନ୍ତେ ଶ୍ରୀ କବି ୮ ହଜାର ଟଙ୍କା ଦାବି କରିଥିଲେ । ଏନେଇ ନିରମଲେନ୍ଦୁଙ୍କ ବିରୋଧରେ ଶ୍ରୀ ସାହୁ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଆଜି ସଇଁତଳା ତହସିଲ କାର୍ଯ୍ୟାଳୟରେ ନିରଞ୍ଜନ ଅମିନ ନିରମଲେନ୍ଦୁଙ୍କୁ ୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ନିରମଲେନ୍ଦୁଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିଛନ୍ତି । ଏଥିସହ ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରାଯାଉଛି ।