ଲକ୍ଷ୍ମଣପୁର ମା’ ତାରିଣୀ ବଜାର ନଳକୂପରୁ ବାହାରୁଛି ବିଷାକ୍ତ ପାଣି !
ଜଗତପୁର (ଏନ୍.ଏମ୍.): ଅସହ୍ୟ ଖରାରେ ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବାବେଳେ ନଳକୂଅର ପାଣି କାମରେ ଆସୁନି । ଏହି ନଳକୂଅରୁ ମାଟିଆ ରଙ୍ଗର ପାଣି ବାହାରୁଥିବାବେଳେ ଏହାକୁ ମୁହଁରେ ଦେଇ ହେଉନାହିଁ । ତେବେ ଏହି ଅଞ୍ଚଳର ଲୋକେ ଦୀର୍ଘ ଦିନ ଧରି ଜଳକ୍ଲିଷ୍ଟରେ ଥିବାବେଳେ ସିଏମସି ପକ୍ଷରୁ ଏହାର ପ୍ରତିକାର କରାନଯିବା ନେଇ ଅସନ୍ତୋଷ ତେଜୁଛି । କଟକ ମହାନଗର ଅନ୍ତର୍ଗତ ୪୮ନମ୍ବର ୱାର୍ଡର ଲକ୍ଷ୍ମଣପୁର ସ୍ଥିତ ତାରିଣୀ ବଜାରରେ ଜଳଶଙ୍କଟ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ନଳକୂପରୁ ବିଷାକ୍ତ ରଙ୍ଗିନ ପାଣି ବାହାରୁଥିବା ବେଳେ ସିଏମସି କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପ୍ରତିକାର କରାଯାଉ ନାହିଁ । ଅସହ୍ୟ ଖରା ତଥା ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଟୋପେ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଏହି ନଳକୂପ ପାଣି ପିଇବା କି ବ୍ୟବହାର କରିବା ପାଇଁ ବି ଅନୁପଯୋଗୀ ହୋଇଥିବାରୁ ଲୋକମାନେ ବହୁ ଦୁରକୁ ପାଣି ଆଣିବା ପାଇଁ ଯିବାକୁ ପଡୁଛି । ଅନ୍ୟପକ୍ଷରେ ସେଠାରେ ମା’ଙ୍କ ମନ୍ଦିର ଓ ଦୋକାନ ବଜାର ଗଢିଉଠିଥିବାରୁ ଏଠାରେ ପାଣିର ସମସ୍ୟା ଦେଖାଦେଇଛି । ତେବେ ୫ ବର୍ଷ ପୂର୍ବରୁ ମାଙ୍କ ମନ୍ଦିର ପାଖରେ ଏହି ନଳକୂପ ଖୋଳା ଯାଇଥିଲା । ନଳକୂପଟି ଏହି ବଜାରରେ ବସିବା ଦିନଠାରୁ ସେଥିରୁ ଏହି ଭଳି ରଙ୍ଗ ବେରଙ୍ଗର ବିଷାକ୍ତ ପାଣି ବାହାରୁ ଥିବାରୁ ବଜାରର ଲୋକଙ୍କ କିମ୍ବା ମନ୍ଦିର କାମରେ ଏହି ପାଣି ଲାଗୁନାହିଁ । ମା’ଙ୍କ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁମାନେ ଏହି ନଳକୂପକୁ ଗୋଡ ହାତ ଧୋଇବାକୁ ମଧ୍ୟ ଯାଉନାହାଁନ୍ତି । ଦୋକାନୀମାନେ ପିଇବା ପାଇଁ ଦୋକାନ ଛାଡି ବହୁ ଦୁରକୁ ପାଣି ଆଣିବା ପାଇଁ ଯିବାକୁ ପଡୁଛି । ତେଣୁ ଏ ନେଇ ବଜାର କମିଟି କର୍ମକର୍ତ୍ତାମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେଣୁ ସିଏମସି ପକ୍ଷରୁ ତୁରନ୍ତ ଏଠାରେ ଆଉ ଏକ ନଳକୂପ ଖୋଲିବା ପାଇଁ ଲକ୍ଷ୍ମଣପୁର ତାରିଣୀ ବଜାର କମିଟି ପକ୍ଷରୁ ଦାବି ହୋଇଛି ।