ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ

ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ

ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ
ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି – ପୃଥ୍ୱୀରାଜ ହରିଚନ୍ଦନ


#ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ବିଭିନ୍ନ ରାଜନୈତିକ ଦଳରୁ ନେତାମାନଙ୍କ ଦଳବଦଳ ଘଟଣା ଯେତିକି ଚର୍ଚ୍ଚାକୁ ଆସୁଛି ତା’ ଠାରୁ ଅଧିକ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି ବିଜେଡି-ବିଜେପି ମେଣ୍ଟ ଆଲୋଚନା । ତେବେ ଉଭୟ ଦଳ ପକ୍ଷରୁ ମେଣ୍ଟକୁ ନେଇ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଏ ନେଇ ବିଭିନ୍ନ ପର୍ଯ୍ୟାୟରେ ଉଦ୍ୟମ ଚାଲିଥିବା ଦେଖିବାକୁ ମିଳିଛି । ତଥାପି ମେଣ୍ଟରକୁ ନେଇ ଅଡୁଆ ଅଙ୍କ ଛିଣ୍ଡୁନଥିବାଯୋଗୁଁ ଏ ନେଇ ଉଭୟ ଦଳ ନିଷ୍କର୍ଷରେ ପହଞ୍ଚି ପାରୁନଥିବା ଜଣାପଡ଼ିଛି । ତେବେ ମେଣ୍ଟକୁ ନେଇ ବିଜେଡିର ସେଭଳି କିଛି ଫାଇଦା ହେବ ନାହିଁ ବୋଲି ନିର୍ବାଚନ ସମୀକ୍ଷକମାନେ ମତ ଦେଇଛନ୍ତି । ପୂର୍ବରୁ୨୦୦୪ ମସିହା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହୋଇଥିବାବେଳେ ବିଜେଡି ୬୧ ଓ ବିଜେପି ୩୨ଟି ସିଟ ହାତେଇଥିଲା । କଂଗ୍ରେସ ୩୮ଟି ସିଟ ନେଇଥିଲେ । ମାତ୍ର ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ବିଜେଡି ନିର୍ବାଚନୀ ରେକର୍ଡ଼ ଭାଙ୍ଗିବା ଆରମ୍ଭ କରିଛି । ଅର୍ଥାତ ୨୦୦୯ ମସିହାରେ ହୋଇଥିବା ନିର୍ବାଚନରେ ବିଜେଡି ୧୦୩, ବିଜେପି-୬ ଏବଂ କଂଗ୍ରେସ ୨୭ ସିଟ ହାତେଇଥିଲା । ସେହିଭଳି ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ବିଜେଡି ୧୧୭, ବିଜେପି-୧୦ ଏବଂ କଂଗ୍ରେସ ୧୬ରେ ସୀମିତ ରହିଥିଲା । ପୁନଶ୍ଚ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ବିଜେଡି ୧୧୩, ବିଜେପି ୨୩ ସହ କଂଗ୍ରେସ ୯ରେ ଅଟକି ଯାଇଛି । ତେଣୁ ଏଠାରେ ଦେଖିବାକୁ ମିଳିଛି ଯେ ମେଣ୍ଟ ନିର୍ବାଚନ ଅପେକ୍ଷା ଏକୁଟିଆ ଲଢ଼ି ବିଜେଡି ରାଜ୍ୟରେ ସଫଳତା ହାସଲ କରି ପାରିଛି । ସେହିଭଳି କଂଗ୍ରେସ ଓ ବିଜେପି ରାଷ୍ଟ୍ରୀୟ ଦଳ ହୋଇଥିଲେ ମଧ୍ୟ ଉପଯୁକ୍ତ ନେତୃତ୍ୱ ଅଭାବ ତଥା ଦୁର୍ବଳ ସଂଗଠନ ଯୋଗୁଁ ଓଡ଼ିଶାରେ ଭଲ ପ୍ରଦର୍ଶନ କରି ପାରୁନାହାନ୍ତି । ତେଣୁ ଆଗାମୀ ନିର୍ବାଚନ ପାଇଁ ବିଜେଡିର ହୁଏତ ଅସନ୍ତୋଷ, ନେତାଙ୍କ ଦଳବଦଳ ଯୋଗୁଁ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇ କିଛି ଆସନ ହ୍ରାସ ପାଇପାରେ ମାତ୍ର ବିଜେଡି ନିଶ୍ଚିତ ସରକାର କରିବ ବୋଲି ଆକଳନ କରାଯାଉଛି । ହେଲେ ଏହି ମେଣ୍ଟ ପ୍ରସଙ୍ଗକୁ ନେଇ ଯଦି ଚର୍ଚ୍ଚା ଆରମ୍ଭ ହୋଇଛି ଏହା କେବେ ସ୍ପଷ୍ଟ ହେବ ତାହାକୁ ନେଇ ସମସ୍ତେ ଅପେକ୍ଷାରେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ବୟାନବାଜୀ ଜନସାଧାରଣଙ୍କୁ ଅନ୍ଧାରକୁ ଠେଲି ଦେଉଥିବା କୁହାଯାଉଛି । ସମ୍ପ୍ରତି ରାଜ୍ୟରେ ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ବିଜେଡିର ଦୁଇ ନେତା ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ହେଲେ ଦିଲ୍ଲୀରେ ଆଲୋଚନା ସଫଳ ହେଲା କି ନାହିଁ ଏନେଇ ଉଭୟରେ ମୁହଁ ଖୋଲି ନାହାନ୍ତି । କିଛି ଦିନ ହେବ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସବୁ ଭିତରେ ରାଜ୍ୟରେ ବିଜେପି ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି ବୋଲି ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମରେ ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏହି ବିଷୟରେ କୌଣସି ଆଲୋଚନା ହୋଇ ନାହିଁ । ଆମେ ଏକାକି ଲଢ଼ିଲେ ଭଲ କରିବୁ ବୋଲି ରାଜ୍ୟ ସଭାପତି ଓ ପ୍ରମୁଖ ନେତୃବୃନ୍ଦ କେନ୍ଦ୍ରୀୟ ନେତୃତ୍ୱ ଆଗରେ କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ସେଥିରେ ବିଶ୍ୱାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେ ଅନୁସାରେ ଆମେ ଚାଲିବୁ ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ କୌଣସି ଖବର ନାହିଁ । ଯେତେଦୂର ସମ୍ଭବ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକା ଲଢ଼ିବାର ବହୁ ସମ୍ଭାବନା ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି । ଅନ୍ୟପକ୍ଷରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଦୁଇ ଦିନ ହେବ ଏନେଇ ଉଭୟ ଦଳ ପକ୍ଷରୁ ଘଣ୍ଟା ଚକଟା ଚାଲିଛି । ଲୋକସଭା ପାଇଁ ବିଜେପି ଅଧିକ ଆସନ ଚାହୁଁଥିବା ବେଳେ ବିଜେଡି ବିଧାନସଭାରେ ୧୦୦ରୁ ଅଧିକ ଆସନରେ ଲଢିବା ଲାଗି ଦାବି କରୁଥିବା କୁହାଯାଉଛି । ଗତ ୨ଦିନ ହେଲା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ରାଜ୍ୟ ବିଜେପି ନେତା ଦିଲ୍ଲୀରେ ଡେରା ପକାଇଛନ୍ତି । ସେହିପରି ବିଜେଡିର ଦୁଇ ନେତା ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିବା କୁହାଯାଇଛି । ସେମାନେ ସମ୍ଭାବ୍ୟ ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ କଥା ହୋଇଥିବା ଚର୍ଚ୍ଚା ହେଉଛି । ଦୁଇ ନେତା ଆଜି ଭୁବନେଶ୍ୱର ଫେରି ଶଙ୍ଖ ଭବନରେ ବିଜେଡିର ମହିଳା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ତେବେ ମେଣ୍ଟକୁ ନେଇ କି ନିଷ୍କର୍ଷ ବାହାରୁଛି ତାହା ସମୟକୁ ଅପେକ୍ଷା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ