ରାଜଭବନରେ ଦିଲ୍ଲୀ ଗଣତନ୍ତ୍ର ଦିବସ ପ୍ୟାରେଡ୍ର ଓଡ଼ିଶା କଂଟିଜେଣ୍ଟ
ରାଷ୍ଟ୍ର ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା ପ୍ରଶଂସନୀୟ- ରାଜ୍ୟପାଳ
#ଭୁବନେଶ୍ୱର(ଏନ୍.ଏମ୍.): ଭାରତ ପୃଥିବୀର ଏକ ଯୁବ ଦେଶ । ଯୁବ ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଓ ଦେଶର ଭବିଷ୍ୟତ । ଏନସିସି ଯୁବଛାତ୍ରମାନଙ୍କୁ ଅନୁଶାସନ, ସମର୍ପଣ ଏବଂ ଦେଶ ସେବାର ଭାବ ଓ ଭାବନାରେ ଉଦ୍ବୁଦ୍ଧ କରେ । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କ୍ରିୟାଶୀଳତାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଭୂମିକା ପ୍ରଶଂସନୀୟ । ସ୍ୱଚ୍ଛ ଭାରତ ଅଭିଯାନ, ଯୋଗ ଦିବସ, ପରିବେଶ ସଂରକ୍ଷଣ, ଐତିହ୍ୟ ସଂରକ୍ଷଣ ଆଦି କାର୍ଯ୍ୟରେ ଏନ୍ସିସିର କାର୍ଯ୍ୟ ବେଶ୍ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ଯୋଗ ଦେଇଥିବା ଓଡ଼ିଶାର ସମର ଶିକ୍ଷାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଏନସିସି ରାଷ୍ଟ୍ରଶକ୍ତିର ଶାରିରୀକ ଓ ମାନସିକ ଅଭିବୃଦ୍ଧି ଦିଗରେ ବିଶେଷ ଭୂମିକା ନେଇ ଉତ୍ତମ ନାଗରିକ ଗଠନ ନିମନ୍ତେ କାର୍ଯ୍ୟ କରିଛି । ଓଡ଼ିଶାରେ ପ୍ରାୟ ୬୨ ହଜାର ୯୯୯ ସମର ଶିକ୍ଷାର୍ଥୀ ଥିବା ନିଶ୍ଚିତ ରୂପେ ଉଲ୍ଲେଖଯୋଗ୍ୟ ବୋଲି ରାଜ୍ୟପାଳ କହିଛନ୍ତି । ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ଡାଇରେକ୍ଟର ଜେନେରାଲ କମୋଡର ଜେ. ସୁରେଶଙ୍କ ତତ୍ତ୍ୱାବଧାନରେ ୭୬ ବାଳକ ଓ ୪୬ ଜଣ ବାଳିକା କ୍ୟାଡ଼େଟଙ୍କୁ ନେଇ ସୁଦକ୍ଷ ଏନସିସି କଂଟିଜେଣ୍ଟ, ୨୦୨୪ ମସିହା ପାଇଁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ପ୍ରତିଯୋଗିତାରେ ୯ତମ ସ୍ଥାନ ଅଧିକାର କରି ଜାତୀୟସ୍ତରରେ ଓଡ଼ିଶା ରାଜ୍ୟକୁ ପ୍ରଶଂସିତ କରିଛନ୍ତି । ଏହି ଚମତ୍କାର ପ୍ରଦର୍ଶନ, ବିଚକ୍ଷଣ କ୍ୟାଡେଟ, କୁଶଳୀ ଏନସିସି ଅଧିକାରୀ ଏବଂ ନିପୁଣ ପ୍ରଶିକ୍ଷଣକାରୀଙ୍କ ପ୍ରୟାସର ଏକ ଉଦାହରଣ । ୨୦୨୩ ମସିହା ଡିସେମ୍ବର ୨୫ ତାରିଖରୁ ୨୦୨୪ ମସିହା ଜାନୁୟାରୀ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ଗଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶା ଏନସିସି କ୍ୟାଡେଟମାନେ ବହୁ ପ୍ରତିକୂଳ ପରିସ୍ଥିତି ଓ କଠିନ ସମୟର ସାମ୍ନା କରି ନିଜ ଦକ୍ଷତାର ପରାକାଷ୍ଠା ପ୍ରତିପାଦନ କରିଥିଲେ । ଅଦମ୍ୟ ସାହସର ପ୍ରଦର୍ଶନ କରି ଅଶ୍ୱାରୋହ ପ୍ରତିଯୋଗିତାରେ ୧ ସ୍ୱର୍ଣ୍ଣ ପଦକ, ୧ ରୌପ ପଦକ ଏବଂ ୩ ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଅଧିକନ୍ତୁ ଅନ୍ୟାନ୍ୟ ୩ଟି ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ଅଧିକାର କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ପ୍ରତିଯୋଗିତାମୂଳକ ପରିବେଶ ମଧ୍ୟରେ ଦୃଢ଼ତାର ସହ ସଂକଳ୍ପବଦ୍ଧ ଉଦ୍ୟମ ଦ୍ୱାରା ସଫଳତା ପାଇବା ଏକ ସଂକଳ୍ପବଦ୍ଧ ଉପଲବ୍ଧି କରାଇପାରିଛି । ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ, ବ୍ୟକ୍ତିଗତ ଉତ୍କର୍ଷତା ନିମନ୍ତେ ଦ୍ୱିତୀୟ ଓଡ଼ିଶା ଏନସିସି ବାଟାଲିୟନ, ବ୍ରହ୍ମପୁର ଗ୍ରୁପର ଏନସିସି ଶିକ୍ଷକ କ୍ୟାପଟେନ ଦୀପକ କୁମାର ନାୟକଙ୍କୁ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ପ୍ରଥମ ଓଡ଼ିଶା ବାୟୁସେନାର କ୍ୟାଡେଟ ଶ୍ୱେତା ମହାପାତ୍ରଙ୍କୁ ପ୍ରତିରକ୍ଷା ସଚିବ ପ୍ରଶଂସାପତ୍ର ତଥା ଉଲ୍ଲେଖନୀୟ ଅବଦାନ ପାଇଁ କ୍ୟାଡେଟ ଓ ଏନସିସି କର୍ମଚାରୀଙ୍କୁ ୮ଟି ଡିଜି ଏନସିସି ପ୍ରଶଂସା ପତ୍ର ସହିତ ଏନସିସି କ୍ୟାଡେଟ ଓ ସାଧାରଣ କର୍ମଚାରୀଙ୍କୁ ୨ଟି ପଦକ ପ୍ରଦାନ କରାଯାଇଛି । ରାଜଭବନରେ ଆୟୋଜିତ ଉତ୍ସବରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ଜେ. ସୁରେଶ, ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଏନସିସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।