ମୁଣ୍ଡଳି ଟ୍ରାଜେଡି: ଆଜି ଏସସିବିରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା
କଟକ(ଏନ୍.ଏମ୍.): ମୁଣ୍ଡଳି ଟ୍ରାଜେଡ଼ି ଘଟଣାରେ ଗୁରୁତର ଆହତ ହୋଇଥିବା ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା ଆଜି ସୁସ୍ଥ ହୋଇ କଟକ ବଡ଼ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡିସଚାର୍ଜ ହେବା ଅବସରରେ ସେ ଅତି ଭାବବିହ୍ୱଳ ହୋଇ ପଡ଼ିବା ସହ ଅରିନ୍ଦମଙ୍କ କଥା ମନେ ପକାଇ କାନ୍ଦିପକାଇଥିଲେ । ସେ କହିଲେ ଯେ, ‘ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁ ଆଜି ନୂଆ ଜୀବନ ପାଇଛି । ମୁଁ ସୁସ୍ଥ ହୋଇ ଘରକୁ ଫେରୁଛି । ହେଲେ ମନରେ ଦୁଃଖ ରହିଗଲା ଯେ, ଅରିନ୍ଦମ ଭାଇ ମୋତେ ଛାଡ଼ି ଚାଲିଗଲେ । ଆମେ ଦୁହେଁ ସାଥୀ ହୋଇ ସବୁ ଜାଗାକୁ ନ୍ୟୁଜ୍ କଭର କରିବାକୁ ଯାଉଥିଲୁ । ମୁଁ ଆଜି ଏକା ହୋଇଗଲା ଭଳି ଲାଗୁଛି । ଏହା ସବୁଠୁ ଅଧିକ କଷ୍ଟ ଦେଉଛି । ମନରେ ସବୁଦିନ ପାଇଁ ଏହି ଦୁଃଖ ରହିବ ।’ ପ୍ରଭାତ ପୁଣି କହିଥିଲେ ଯେ, ସେଠୁ କିପରି ବଞ୍ଚିକି ଆସିଛି ତାହା ଉପରବାଲା ହିଁ ଜାଣିଛି । ବୋଟ୍ ତଳେ ବହୁ ସମୟ ରହି ଯାଇଥିଲି । ବହୁ ସଂଘର୍ଷ କରି ବାହାରକୁ ଆସିଲି । ଅଘଟଣ କେତେବେଳେ ଆସିବ କେହି କହିପାରିବେନି । ୟା ପୂର୍ବରୁ ବି ଆମେ ବହୁ ବିପଦପୂର୍ଣ୍ଣ ଜାଗାକୁ ଯାଇ କାମ କରିଛୁ । ହେଲେ ଏମିତି ଅଘଟଣ ଘଟିବ ବୋଲି ଆମେ ଜାଣି ନଥିଲୁ । ଯେତେବେଳେ ଯାହା ଘଟିବାର ଥିବ ଘଟିବ । ଆମେ କେବଳ ଆମ କାମ କରି ଚାଲିବୁ ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଫସି ଥିବା ଏକ ହାତୀର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଓଡ୍ରାଫ୍ ଟିମ୍ ସହିତ ଖବର ପ୍ରସାରଣ ପାଇଁ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ବୋଟରେ ଯାଇଥିଲେ । ତେବେ ନଦୀର ପ୍ରଖର ସ୍ରୋତରେ ରବର୍ ବୋଟଟି ମୁଣ୍ଡଳି ବ୍ରିଜ୍ ନିକଟରେ ଓଲଟି ପଡ଼ିଥିଲା । ଫଳରେ ଅରିନ୍ଦମ ଏବଂ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ଭାସି ଯାଇଥିଲେ । ଓଡ୍ରାଫର ତିନି ସଦସ୍ୟଙ୍କ ସହିତ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରଭାତଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ରଖାଯାଇଥିଲା । ସୁସ୍ଥ ହେବା ପରେ ତିନି ଦିନ ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ଏହି ଦୁର୍ଘଟଣାରେ ଅରିନ୍ଦମ ଦାସ ଓ ସୀତାରାମଙ୍କ ମୃତ୍ୟୁ ହୋଇଥିଲା ।